**ମେଘ ସବାରୀ ରେ ଆସୁଛି ସାଥୀ ମୋର**
।। ଜାନକୀ ମହାନ୍ତ ।।
ରୂପ ତା’ ସୁନ୍ଦର ସ୍ୱର ତା’ ମଧୁର
କାକଳି ପଞ୍ଚମ ତାନ,
ଭାବରେ ବାନ୍ଧଇ ତା’ର ସ୍ନେହ ଡୋର
ଶାନ୍ତ ସ୍ନିଗ୍ଧ ସ୍ବଚ୍ଛ ମନ ।।
ପଳାଶ ଫୁଲର ନାଲି ଓଢ଼ଣୀରେ
ମୁଁ ଅବଗୁଣ୍ଠନ ବତୀ,
ମହୁଲ ମଳୟ ବହେ ବସନ୍ତ ରେ
ନେଇ ଅପାସୋରା ସ୍ମୃତି ।।
ପଙ୍କଜିନୀ ହସେ ନୀଳ ସରସୀ ରେ
ରାଜିବ କିରଣ ଚାହିଁ,
ନୀଳକଇଁ ଝୁରେ ନୀଳ ଜୋଛନା ରେ
ଚାନ୍ଦରେ ମିଳନ ପାଇଁ ।।
ମହୁମାଛି ଗାଏ ଗୁଣୁଗୁଣୁ ଗୀତ
ମଧୁପାନ କରି ନିତି,
ମୟୂର ନାଚଇ ହୋଇ ଅତି ପ୍ରୀତ
ଜଳଦ ପ୍ରେମ ରେ ମାତି ।।
ଶୁଷ୍କ ପାଦପ ଯେ ନବ ପଲ୍ଲବିତ
ଗାଆନ୍ତି ପ୍ରୀତି ଗୀତିକା,
ସାଗର ଗର୍ଭରେ ନଦୀ ସମର୍ପିତ
ପୂର୍ଣ୍ଣତା ଲଭେ ପ୍ରେମିକା ।।
ମରୁଭୂମି ପ୍ରାନ୍ତେ ମରୁ ମରୀଚିକା
ପଥିକ ଟି ହନ୍ତସନ୍ତ,
ମରୁ କାଦମ୍ବିନୀ ମରୁଭୂମେ ଏକା
ତୃଷ୍ଣା କରିଥାଏ ତୃପ୍ତ ।।
ମେଘ ସବାରୀରେ ଆସେ ସାଥୀ ମୋର
ପ୍ରୀତି ଚାନ୍ଦ ମଧୁବୋଳା,
ଖସି ପଡୁଅଛି ଧରାରେ ଅମ୍ବର
ମଧୁର ମାହେନ୍ଦ୍ର ବେଳା ।।
ବେଙ୍ଗାଲୁରୁ ।