—— ମାନବିକତା—–
*****************

ସେଦିନ ଦୀର୍ଘ ରାସ୍ତାର ଯାତ୍ରା ଆରମ୍ଭ କରିଥାଏ।ଟ୍ରେନ ଯୋଗେ ମୁଁ ମୋ ଜିଲ୍ଲାରେ ପହଞ୍ଚିଗଲି।ମୋ ଜିଲ୍ଲାଠୁ ମୋ ଗାଁ ବାଇଶି କିଲୋମିଟର।ଗାଁ କୁ ଯିବା ନିମନ୍ତେ ଗାଁ ବସ୍ ଅପେକ୍ଷାରେ ଥାଏ।ମୋ ଶରୀର ଓଜନର ଅଧାଅଧି ମୋ ଦୁଇ ବ୍ୟାଗ ଥାଏ, ବ୍ୟାଗ ଦୁଇଟି କୁ ସୁରକ୍ଷିତ ନେବା ମୋର କର୍ତ୍ତବ୍ୟ ଭାବି ହାତ ଦୁଇଟି କୁ ବୋଲକରା କରିଥାଏ।ଆଉ ଗୋଡ଼ ଦୁଇଟି କୁ ସାହାରାର ବନ୍ଧୁ କରିଥାଏ।ତଥାପି ମୁଁ ବେସହାରା ହୋଇଯାଏ ନିଜ କ୍ଲାନ୍ତ ଦେହ ପାଇଁ।
ମଣିଷ ଆଜି କାହା ମୁହଁ ଦେଖିଥିଲା କେଜାଣି?ସକାଳୁ ଯାଇ ସଞ୍ଜ ହେଲାଣି।ଖାଇବା ପିଇବାର ଠିକ୍ ଠିକଣା ନାହିଁ।ସବୁ ପରେ ବି ବ୍ୟସ୍ତ ବିବ୍ରତ ନ ହୋଇ ଧୈର୍ଯ୍ୟ ଧରି ବସ୍ କୁ ଅପେକ୍ଷା କରିବା ମୋର କାମ, ଏହା ଭାବି ଚୁପଚାପ ହୋଇ ଛିଡ଼ା ହେଲି।
ଶେଷରେ ମୋ ଭାବନାର ଅନ୍ତ ଘଟାଇ ବସ୍ ଟି ଏ ଆସିଲା।ବସ୍ ଟି କୁ ଦେଖିଲା ପରେ ମନ ଭିତରେ ଏକ ପ୍ରଫୁଲତା ଖେଳାଇ ବସ୍ ରେ ଚଢ଼ିବାକୁ ଲାଗିଲି।ଠିକ୍ ସେହି ସମୟରେ ମୋରି ଭଳି ଅପେକ୍ଷା କରିଥିବା କେତେ ଜଣ ଯାତ୍ରୀ ବସ୍ ରେ ଚଢିବା ନିମନ୍ତେ ଠେଲା ପେଲାର ପ୍ରୟାସ କଲେ।ଏପରି ହେଉଥିଲେ ଯେପରି ବସ୍ ଟି ସେମାନଙ୍କୁ ଛାଡି ପଳେଇବ।ବସ୍ ବିନା ତାଙ୍କ ଯିବାଟା ଯେ ଯେମିତି ଅସମ୍ଭବ।ଏତିକି ବେଳେ ପଛ ଆଡୁ ଗୋଟେ ଗମ୍ଭୀର ସ୍ୱରଟେ ଶୁଣାଗଲା – ‘ଏ ଜଣ ଜଣ ହୋଇ ଚଢ଼।’ ଯାତ୍ରୀମାନଙ୍କର ଏଭଳି ବ୍ୟବହାର ଦେଖି ସେମାନେ ଯେ ଅଭଦ୍ରାମି କରୁଛନ୍ତି, ଭାବିବାକୁ ମୋତେ ବେଶି ସମୟ ଲାଗିଲାନି। କିନ୍ତୁ ଠିକ୍ ଏତିକିବେଳେ ଜଣଙ୍କ ଗମ୍ଭୀର ସ୍ୱର ଶୁଣିଲା ପରେ କିଏ ସେ ଭଦ୍ରାମିର ପରାକାଷ୍ଠା ଦେଖାଉଛନ୍ତି? ଦେଖିବା ନିମନ୍ତେ ବୁଲିପଡ଼ି ଦେଖେ ତ ସେ ଆଉ କେହି ନୁହନ୍ତି, ସ୍ୱୟଂ ବସ୍ ର ମାଲିକ। ତାଙ୍କୁ କିଛି କହିବାକୁ ଚାହୁଁଥିଲେ ବି ନିଜ କ୍ଳାନ୍ତପଣ ଯୋଗୁଁ ନ କହିପାରି ସହାସ୍ୟ ବଦନରେ ସ୍ମିତ ହସଟିଏ ଦେଖାଇ ବସ୍ ରେ ଚଢ଼ିବାକୁ ଲାଗିଲି।
ବସରେ ବସିଲାର କିଛି ସମୟ ଅନ୍ତରରେ ବସ୍ ଛାଡିବାର ପ୍ରସ୍ତୁତି ଆରମ୍ଭ କରି ହାର୍ଣ୍ଣ ମାରି ତା ପରେ ଗାଡି ଷ୍ଟାର୍ଟ କଲା।ସେତେବେଳେ ବସ୍ ଭିତରେ କେତେ ଯାତ୍ରୀ ଥିଲେ ତାହା ଅନୁମାନ କରିବା ବାହାରେ।କାରଣ ବସ୍ ର ସିଟ୍ ସଂଖ୍ୟାଠୁ ଯାତ୍ରୀଙ୍କର ସଂଖ୍ୟା ଦୁଇଗୁଣ ଅଧିକ ଥିଲା।ଏଭଳି ସମସ୍ୟା ଯେ ପ୍ରତ୍ୟେହ ଲାଗି ରହିଥାଏ,ସେ କଥା କାହାକୁ ବା ଅଛପା।
ପ୍ରଥମତଃ ବସ୍ ରେ ଚଢିବା ଲାଗି ଠେଲା ପେଲା ଲାଗିବା, ଦ୍ୱିତୀୟତଃ ବସ୍ ର ସିଟ ସଂଖ୍ୟାଠୁ ଯାତ୍ରୀଙ୍କ ସଂଖ୍ୟା ବେଶି।ଏଭଳି ଏକ ଅପ୍ରତିକର ପରିସ୍ଥିତିକୁ ଆମ ଭଳି ଶିକ୍ଷିତ ଯୁବ ବର୍ଗ ସାମ୍ନା କରୁଛନ୍ତି।ତାହାର ମୁକାବିଲା ନ କରିପାରି ଶାନ୍ତ ସୁଧାର ଯାତ୍ରୀଟିଏ ଭଳି ସିଟ୍ ରେ ବସି ବା ବସ୍ ରେ ଛିଡା ହୋଇ ଯିବାର ଅଭ୍ୟାସ କରିନେଇଛନ୍ତି।
ଏଠାରେ କହିବା ବାହୁଲ୍ୟ ମୁଁ ବି ସେଇ ‘ନାଉର ମଞ୍ଜି’ ମାନେ ମୁଁ ବି ଜଣେ ଯୁବବର୍ଗୀ,ଶିକ୍ଷିତା, ନିୟମ ଜାଣିଥିବା ଜଣେ ଛାତ୍ରୀ।ତଥାପି ମୁଁ ଅଶିକ୍ଷିତାର ପରିଚୟ ଦେଇ ଦିଏ ସମସ୍ତଙ୍କୁ।ଏତେ ଲୋକଙ୍କ ଭିତରେ କିଛି କହିବାର କ୍ଷମତା ମୋର ନଥାଏ। ସେଥିପାଇଁ ଲଜ୍ଜ୍ୟା ଅନୁଭବ କରି ଚୁପଚାପ ବସି ରହେ।ତା’ପରେ ବସ୍ ଚାଲେ ।
ବସ୍ ର ବେଗ କ୍ଷିପ୍ର ଗତିରେ ଯାଉଛି, ଠିକ୍ ସେମିତି ମୋ ମନର ବେଗ ରାତ୍ରିର ଅନ୍ଧକାର ମଧ୍ୟରେ ଭାସି ଭାସି ଯାଉଛି। ଅନେକ ଦିନ ଅନ୍ତରରେ ଘରକୁ ଫେରୁଛି। ଶରୀର କ୍ଳାନ୍ତ ହେଲେ ମଧ୍ୟ ମନ ସତେଜ ହୋଇଉଠୁଛି। ଯଦି କେତେବେଳେ ହଠାତ୍ ଆଖିକୁ ନିଦ ଘାରି ଆସୁଛି, ତେବେ ତାକୁ ଝରକା ବାହାରର ଦୁଲୁକାଏ ପବନ କେଉଁ ଆନାବନା ଦିଗରେ ଖେଳେଇ ଦେଉଛି।ଆଉ ସଙ୍ଗେ ସଙ୍ଗେ ମୁଁ ଆଖି ବୁଲେଇ ନିଏ ଝରକା ବାହାରର ସେଇ ଦୃଶ୍ୟକୁ ଦେଖିବା ପାଇଁ।କିଟ୍ କିଟ୍ ଅନ୍ଧାର ଭିତରେ ମିଞ୍ଜି ମିଞ୍ଜି ହେଇ ଜଳୁଥିବା ସେଇ ଆଲୋକକୁ ଦେଖି ମୋ ମନରେ କେତେ କ’ଣ ଭାବନା ପଳେଇ ଆସେ।ଆଉ ମୋ ଭାବନାର ବିରତି ଦେବା ପାଇଁ ଜାଗେ ଜାଗେ ବସ୍ ର ଷ୍ଟପେଜ ପଳେଇ ଆସେ।ତଥାପି ମୁଁ ଭାବିବା ବନ୍ଦ କରେନି, ବସ୍ ଚାଲିବ ମାତ୍ରେ ମୁଁ ମୋ ଭାବନାକୁ ଆଗକୁ ନିଏ।

କେଉଁ ଏକ ସ୍ଥାନରେ ବସ୍ ର ଷ୍ଟପେଜ ଆସିଛି।ନିୟମାନୁସାରେ ବସ୍ ରୁ କିଛି ଯାତ୍ରୀ ଉଲ୍ଲହୋଛନ୍ତି ଆଉ କିଛି ଯାତ୍ରୀ ଚଢୁଛନ୍ତି।ଠିକ୍ ଏତିକିବେଳେ ଜଣେ ବୃଦ୍ଧ ତାଙ୍କ ସହ ଜଣେ ମହିଳା ଓ ଏକ କୁନି ପୁଅ ବସ୍ ର ଭିଡ଼ ସତ୍ତ୍ୱେ ପଶିଛନ୍ତି। ଏ ତିନିହେଁ ଙ୍କ ର ସମ୍ପର୍କ କ’ଣ ହେବ ମୁଁ ସଠିକ୍ ଭାବେ ବୁଝି ନ ପାରିଥିଲେ ମଧ୍ୟ କୁନିପୁଅ ଓ ମହିଳାଙ୍କ ସମ୍ପର୍କ ମା-ପୁଅର ସମ୍ପର୍କ ଏ କଥା ବୁଝିପାରିଥିଲି ତାଙ୍କ ବ୍ୟବହାର ଦେଖି।
କାରଣ ପୁଅଟି ଭୀଷଣ ମାତ୍ରାରେ ଅସୁସ୍ଥ ଅଛି, ଯେ କେହି ଦେଖିଲେ କହିଦେବ ।
ପୁଅଟିର ହାତ, ମୁଣ୍ଡ ଓ ଛାତି ସବୁ ବ୍ୟାଣ୍ଡେଜ ହେଇଛି।’ମା’ ଟି ଖୁବ୍ ସାବଧାନତା ସହକାରେ ପୁଅକୁ ଧରି ବସ୍ ର ଭିଡ଼କୁ ଆଡେଇ ପଛକୁ ଯିବାକୁ ଅଗ୍ରସର ହେଉଛି।
ହଠାତ୍ ବୃଦ୍ଧ ବ୍ୟକ୍ତିଙ୍କ ପାଟିରୁ ଶୁଭାଗଲା ମା’ ରେ ପୁଅକୁ ମୋତେ ଦେ, ତୁ ଆରାମ୍ ସେ ଯା’ ।ମହିଳା ଜଣକ କିଛି ଉତ୍ତର ନ ଦେଇ ପୁଅକୁ ଧରେଇ ଦେଇ ଭିତରେ ଯାଇ ଛିଡା ହେଲେ। ୟା’ ଭିତରେ ବସ୍ ଟି ଚାଲିବାକୁ ଆରମ୍ଭ କଲାଣି।ବୃଦ୍ଧ ଜଣକ କୁନିପୁଅଟି କୁ ଧରି ଭିଡ଼ ଭିତରେ ବହୁ କଷ୍ଟରେ ଛିଡ଼ା ହୋଇଛନ୍ତି। ହଠାତ୍ ବୃଦ୍ଧଙ୍କ ମୁହଁକୁ ଦେଖି ମୋ ମନରେ ଦୟା ଆସିଲା।କ’ଣ କରିବି କିଛି ଭାବିପାରୁନଥିଲି।ବସ୍ ଟି ରେ ଏତେ ମାତ୍ରାରେ ଭିଡ଼ ହେଇଥିଲା ଯେ, ବସିଥିବା ଲୋକ ଛିଡା ହେବାଟା ଅସମ୍ଭବ।ମନରେ କିଛି କଥା ହଠାତ୍ ଚିନ୍ତା ନ କରି ପାରି କହିଦେଲି ” ମଉସା ପୁଅକୁ ମୋତେ ଦିଅନ୍ତୁ , ମୁଁ ଧରିବି।” ଏତକ ମୋ ପାଟିରୁ ଶେଷ ନ ହଉଣୁ ମହିଳା ଜଣକ ରୁକ୍ଷ କଣ୍ଠରେ କହିଲେ ନା’……
କେହି କିଛି ବୁଝିବା ଆଗରୁ ମହିଳା ଜଣକ ତାଙ୍କ ପୁଅକୁ ତାଙ୍କ କୂଳକୁ ନେଇଗଲେ।ମୁଁ ତାଙ୍କ ମୁହଁକୁ ଅନାଇ କିଛି କହିବାକୁ ଆରମ୍ଭ କରିବା କ୍ଷଣେ, ସେ ମୋତେ କହିବାର ଅପ୍ସର ନ ଦେଇ ନିଜେ କହିବାକୁ ଲାଗିଲେ…..
ଆଜିକାଲିକା ପିଲା ସାହାଯ୍ୟ ସହାନୁଭୂତି ଦେଖାଉଛ। ଏ ସବୁ ତୁମର ଉପରଠାଉରିଆ ବ୍ୟବହାର। ନହଲେ ବୁଢ଼ା ଲୋକଟାକୁ ଛିଡ଼ା କରେଇ ତା’ଠୁ ପୁଅ କୁ ନେଇ ସାହାଯ୍ୟ କରୁଛୁ ବୋଲି ଦେଖେଇ ହେବ। ଯଦି ମନରେ ଏତେ ସହାନୁଭୂତି ରଖିଛୁ ନିଜେ ଛିଡ଼ା ହେଇ ତାଙ୍କୁ କହିଲୁନି ବସିବା ପାଇଁ।
ତୁମ ଭଳି ପିଲା ମାନଙ୍କୁ ମୁଁ ଭଲ ଭାବେ ଜାଣେ।ଏତକ କହି ସାରି ଆଉ କିଛି କହିବାକୁ ଚାହୁଁଥିଲେ ମଧ୍ୟ ତାଙ୍କ କଣ୍ଠ ଥର ଥର ହେଲା….
ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ମହିଳା ଜଣଙ୍କୁ ଚାହିଁଲୁ।
କାହା ମନରେ କିଛି ଭାବନା ସ୍ପର୍ଶ କରିବା ପୂର୍ବରୁ ସେ ଥର ଥର କଣ୍ଠରେ କହିବାକୁ ଲାଗିଲେ-
ଆମେ ହେଲୁ ମାଳିମୁଣ୍ଡିଆ ଲୋକ ଲୋ ଝିଅ, ଆରମାସକୁ ଇଲେକସନ ହବ।ସେଥିରେ ଆମର ଯାଏ କେତେ , ଆସେ କେତେ? ଟଙ୍କା ଦୁଇଶହ ଦେଇ ଆମକୁ ଦେଖେଇ ଦେଇଯାଇଛନ୍ତି ସେମାନଙ୍କ ଚିହ୍ନ। କିଏ କଉ ଦଳ ,କ’ଣ ତା ନାଁ ? ଆମେ କିଛି ଜାଣୁନା ଲୋ ଝିଅ। ଏଇଟା ଦେବେ ସେଇଟା ଦେବେ, ଘର କରାଇ ଦେବେ, ରାସନ ଦେବେ, ଅମୁକ ଦେବେ,ଢ଼ିଙ୍କି ଦେବେ….ଏମିତି କେତେ କ’ଣ କରାଇଦେବେ କହି ଆମ ଗୁଡାଙ୍କୁ ଲୋଭ ଦେଖେଇ ଦେଇ ଯାଆନ୍ତି।
ଓଳିକ ଖାଇଲେ ଆଉ ଦୁଇଓଳିକୁ ଦାନା ନଥାଏ।ଏଇ ପୋଡ଼ାମୁହାଁ ପେଟ ପାଇଁ ସିନା ଏତେ ନାଟ।ଯିଏ ଯାହା ଦେଲା ଆମେ ଘେନି ନେଇଯାଉ।ଏଇ କଥା ନାଗି ଆମକୁ କାଳ ହେବ ବୋଲି ଜାଣିନଥିଲୁ ଲୋ ଝିଅ।କୋଉଠି ସେ ମନ୍ତ୍ରୀରିର ଚେଲା ଚାମୁଣ୍ଡା ଦଳେ ଥିଲେ ଲୋ ମା’- ରାତି ଅଧଟା ରେ ପେଟେ ମଦ ଗୁଡ଼ା ପିଇ ଆସି କବାଟ ବଡ଼େଇଲେ।ମୋ ଘଇତାଟା ସରଳିଆ ମଣିଷଟେ । କ’ଣ ପଦେ ଅଧେ କଥା କହିଛି କି ନାହିଁ, କେଡ଼େ ନୃଶଂଶରେ କିଏ ଜଣେ ତା କାନ ମୂଳଟାକୁ ଚାପୁଡ଼େ କେମିତି ମାଇଲା ଯେ। ସେ ଏକାଥରେ ଭୁଇଁରେ ଲଥ୍ କରି ପଡିଗଲା।ପୁଅଟା ମୋର ବାପା ବାପା କହି ତା’ ପାଖକୁ ଦୌଡ଼ି ଯାଉଥିଲା।ଏ ଚଣ୍ଡାଳ ଗୁଡ଼ା ମୋ ଛୁଆଟାକୁ କ’ଣ ପାଇଲେ କେଜାଣି ନିର୍ଘାତିଆ ପିଟା ପିଟିଲେ।ମୋରି ଆଖି ଆଗରେ ମୋ ଘଇତା ମୋ ପୁଅକୁ ଲହୁ ଲୁହାଣ କରି ଚଣ୍ଡାଳ ଗୁଡ଼ା ଚାଲିଗଲେ।
ରାତି ଅଧଟାରେ ଯେତେ ଯା କବାଟ ବାଡ଼େଇ ନେହୁରା ହେଲି କେହି ଶୁଣିଲେ ନାହିଁ। ମୁଁ ମାଇକିନା ଲୋକଟେ କଣ ବା କରିବି,ରାତିସାରା ବାପ ପୁଅଙ୍କ ପାଖେ ବସି କାନ୍ଦିବା ଛଡ଼ା ଆଉ କିଛି କରିପାରିଲିନି।ସକାଳ ହେଲାରୁ ଏ ମଉସା ଜଣକ ସାହାଯ୍ୟ କରିବାରୁ ଏ ଦୁହିଁଙ୍କୁ ଡାକ୍ତରଖାନା ନେଇ ପହଞ୍ଚିଲି।
ସେତିକି ରେ ଶେଷ ହେଲାନି ମୋ ଦୁଃଖ, ଶୁଖିଲାନି ଆଖିର ଲୁହ।ନିଆଁ ଲଗା ଡ଼ାକତର କହିଲା କ’ଣ ନା….. ତୁମ ସ୍ୱାମୀ ମରିଯାଇଛନ୍ତି।ଆଉ ପୁଅଟା ତୁମର ଗୁରୁତର ଅବସ୍ଥାରେ ଅଛି, ତାକୁ ବଡ଼ ଡ଼ାକ୍ତରଖାନା ନବାକୁ ପଡ଼ିବ ବହୁତୁ ଟଙ୍କା ଲାଗିବ। ଜଲଦି ଯୋଗାଡ଼ କରି ତାକୁ ନେଇଯାଅ।
ଏତକ ଶୁଣିସାରିଲା ପରେ ସିଧା ଧାଇଁଲି ଗାଁ ମୁଖିଆ ପାଖକୁ କିଛି ଟଙ୍କା ପାଇବା ଆଶାରେ। ସେ ଲୋଭୀ କାତୁରା ପଶୁଟା ଏ ହାଡ଼ ମାଂସ ଦେହଟା ରେ କ’ଣ ଦେଖିଲା କେଜାଣି ଝୁଣି ଝୁଣି ଦେହଟାର ଚାରିଆଡ଼େ ଖଣ୍ଡିଆ ଖାବରା କରିପକାଇଲା। ତା’ପରେ ହାତରେ କିଛି ଟଙ୍କା ଧରାଇ ଦେଇ କହିଲା ଯା ତୋ ପୁଅକୁ ଭଲ କରି ନେଇଆ।
ଆଜିକୁ ପନ୍ଦର ଦିନ ହେଲା ବଡ଼ ଡାକତରଖାନାରେ ଥିଲି।ଏଇ ଫେରୁଛି ସେଇ ନର୍କପୁରକୁ , ଯେଉଁଠି ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ କୁଢ଼ିଆଟେ ଅଛି।ତା’ ଛଡା ଆଉ କିଛି ମୋର ସାହାରା ନାହିଁ ଲୋ ଝିଅ।
ଏତକ କହିସାରି ସେ କୋହଭରା କଣ୍ଠକୁ ମୁକ୍ତ କରି କାନ୍ଦିବାକୁ ଲାଗିଲେ।ହୃଦୟରେ ରୁନ୍ଧି ହୋଇ ଯାଇଥିବା ଦୁଃଖକୁ ବୁକୁ ଫଟାଇ ଖାଲି କହୁଥିଲେ…—ଏଠି ସବୁ ଅମଣିଷ ଗୁଡ଼ା ଘର କରିଛନ୍ତି।ପଶୁଠୁ ବି ହୀନ ବ୍ୟବହାର କରୁଛନ୍ତି। ତାଙ୍କୁ ଧରମ ସହିବନି।

ବସ୍ ଟି ଚାଲୁଥିଲା ସତ ।କିନ୍ତୁ ସେଥିରେ ମଣିଷ ନଥିଲେ, ଥିଲେ ମଣିଷ ନାମ୍ନୀ ଜଡ଼ ମୂର୍ତ୍ତି ଗୁଡ଼ା।କେହି କାହାକୁ କିଛି କହିବାର ସାହସ ନଥିଲା କି ମହିଳା ଜଣଙ୍କୁ କେମିତି ସାନ୍ତ୍ୱନା ଦେବେ, କାହା ପାଖେ କିଛି ବୁଦ୍ଧି ନଥିଲା। ଉପାୟଶୂନ୍ୟ ହୋଇ ସମସ୍ତେ ସମସ୍ତଙ୍କ ଆଖିର ମାନବିକତା ଶବ୍ଦର ଅର୍ଥକୁ ବୁଝିବାକୁ ଚେଷ୍ଟା କରୁଥିଲେ।

ଆଶା କରୁଛି ଗପଟି କୁ ପଢ଼ି ମତାମତ ଦେବେ। ଅପେକ୍ଷା ରେ ରହିଲି।।
ରାଜଲକ୍ଷ୍ମୀ ପଣ୍ଡା।🙏🙏

 59 total views,  1 views today

One thought on “ମାନବିକତା — ରାଜଲକ୍ଷ୍ମୀ ପଣ୍ଡା”

Leave a Reply

Your email address will not be published. Required fields are marked *