ମକର ସଂକ୍ରାନ୍ତି
ମକରରୁ ଦିନ ବକର ହୋଇଣ
ବଢ଼େ ଚକରେ ଚକରେ
ସୂର୍ଯ୍ୟଦେବଙ୍କର ଉପାସନା ବ୍ରତ
ହେଉଥାଏ ଘରେ ଘରେ ।।
ରବିଙ୍କର ଗତି ଉତ୍ତରାୟଣ ଯେ
ପ୍ରଖର ତେଜରେ ମହୀ
ବିବାହ ବ୍ରତ ଗୃହ ପୂଜା ପୁଣି
ଯଜ୍ଞ ହୁଏ ସବୁଠାଇଁ ।।
ଭିଡ଼ ଜମେ ନଦୀ ସରୋବରେ ଆଉ
ମହୋଦଧି ସ୍ନାନ ପାଇଁ
ପୂଣ୍ୟ ପ୍ରଭାତରୁ ଦର୍ଶନେ ଭାସ୍କର
ସବୁ ପାପ ଦ୍ୟନ୍ତି ଧୋଇ ।।
ଶ୍ରୀ ଜଗନ୍ନାଥଙ୍କ ନାନା ପ୍ରକାରର
ନୀତି ଲାଗି ହୋଇଥାଏ
ଅପକ୍ଵ ଚାଉଳ ଘିଅ ନଡ଼ିଆରେ
ମକର ଚାଉଳ ହୁଏ ।।
ଦେବାଳୟ ମୁଖରିତ ହୋଇଉଠେ
ଶଙ୍ଖ ଘଣ୍ଟା ଶବଦରେ
ଶୁଦ୍ଧ ପୂତ ମନେ ମକର ଚାଉଳ
ବାନ୍ଧେ ସମ୍ପର୍କ ଡୋରିରେ ।।
ମକର,ପୋଙ୍ଗଲ,ଟୁସୁ ପର୍ବରୁପେ
ନାମ ଅଟେ ନାନା ସ୍ଥାନେ
ମନେ ଭରିଦିଏ ନବ ଉନ୍ମାଦନା
ଆଶା ଆକାଂକ୍ଷା ବନ୍ଧନେ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ ,କେନ୍ଦୁଝର –758083