*ମକର ସଂକ୍ରାନ୍ତି*
ମାସ ଶେଷ ଦିନ ମାସନ୍ତ ବିଧାନ
ହିନ୍ଦୁ ଶାସ୍ତ୍ର ବିଧି ମତ,
ମାସନ୍ତେ ସଂକ୍ରାନ୍ତି ଆଗମେ ଧରତୀ
କାଳ ଗଣନ ବିଚିତ୍ର।
ମାସନ୍ତ, ସଂକ୍ରାନ୍ତି ମାସରେ ଆସନ୍ତି
ବରଷରେ ବାର ଥର,
ମାସାନ୍ତେ ତପନ କରନ୍ତି ଗମନ
ଏକୁ, ଆର ରାଶି ଠାର।
କଳ୍ପନାର ଚିତ୍ର ଅଛି ରାଶିଚକ୍ର
ଧରଣୀର ଚାରି ଦିଗ,
ମାସ କରେ ଏକ ରାଶି ଅତିକ୍ରାନ୍ତ
କରିଥାନ୍ତି ସୂର୍ଯ୍ୟ ଦେବ।
ଧନୂ ଅତିକ୍ରାନ୍ତି ମକରେ ଆସନ୍ତି
ଉତ୍ତର ଆୟଣ ସୂର୍ଯ୍ୟ,
ବିଷୁବ ରେଖାର ପ୍ରବେଶେ ଉତ୍ତର
ଆସି ଯାଏ ଶୁଭ କାର୍ଯ୍ୟ।
ପୁନେଇଁ ପରବ ଉତ୍ସବ ସରବ
ଲାଗି ଯାଏ କୋଳାହଳ,
ଦାନ, ଧର୍ମ, ବ୍ରତ, ପୁଣ୍ୟ, ପର୍ବ, ବ୍ରତ
ସଂସାରେ ହୁଏ ପ୍ରବଳ।
ସକଳ ଶକତି ଆଧାରର ଗତି
ଉତ୍ତରକୁ ହେବା ଜାଣି,
ଉତ୍ତର ଗୋଲାର୍ଦ୍ଧ ଉତ୍ସବେ ଆମୋଦ
ବଢଇ ପର୍ବ ପର୍ବାଣୀ।
ଦକ୍ଷିଣେ ସୁଖ୍ୟାତି ମକର ସଂକ୍ରାନ୍ତି
ପୋଙ୍ଗଲ ନାମରେ ଯାତ,ଭୋଗୀ’ ଅନ୍ୟଭାଗ, ଭାରତ ଭୂଭାଗ
ଉତ୍ସବ ବିଶ୍ୱ ବିଖ୍ୟାତ।
ପାଚିଲା ଫସଲ ଏ କାଳେ ଅମଳ
ଯାହା ଶସ୍ୟ ଫଳ ମୂଳ,
ଅରୁଆ ଚାଉଳ , ଆଖୁ, କନ୍ଦମୂଳ
କ୍ଷୀର, ଛେନା,ହୁଏ ଘୋଳ।
ସୁସ୍ୱାଦୁ ବ୍ୟଞ୍ଜନ ପ୍ରସାଦ ମିଷ୍ଟାନ୍ନ
ସବୁଠାରେ ହୁଏ ପୂଜା,
ପୂଜା ଆଡମ୍ବର ସୂର୍ଯ୍ୟ, ଶିବଙ୍କର
ଆନନ୍ଦେ ପାଳନ୍ତି ପ୍ରଜା।
ଜଗନ୍ନାଥ ଦେବ ମକର ଉତ୍ସବ
ଜଗତ ବିଖ୍ୟାତ ପର୍ବ,
ଆଦିବାସୀ ଲୋକ ‘ଟୁସୁ’ ର ଚମକ
ଓଡ଼ିଶା ଗର୍ବ ଗୌରବ।
ଗଙ୍ଗା ସାଗରରେ ବୁଡ଼ ସରାଗରେ
ପକାନ୍ତି ଜଗତ ଜନ,
ଗୁଡ଼ି ଉଡା ପର୍ବେ ଲାଗନ୍ତି ସରବେ
ହୋଇଥାନ୍ତି ସୁପ୍ରସନ୍ନ।
ଆସନ୍ତେ ମକର ଗତିର ବକର
ସୂର୍ଯ୍ୟଙ୍କ ଉତ୍ତରାୟଣ,
ପ୍ରଖର କିରଣ ହୁଏ ବିକିରଣ
ବଡ଼ ହୋଇ ଯାଏ ଦିନ।
ପୁରାଣର ମତ ବିଶ୍ୱ ଆତଙ୍କିତ
ଶଙ୍କରାସୁର ଉତ୍ପାତ,
ଦେବୀ ସଙ୍କରାନ୍ତି ମକରେ ଆସନ୍ତି
ନାଶି, ରଖନ୍ତି ଜଗତ।
ବସନ୍ତି ମକର ଜନ ଜଗତର
ମକର କରି ସେବନ,
ବନ୍ଧୁତାରେ ଧରା ହସି ଉଠେ ପରା
ବିଚିତ୍ର ଭବ ବିଧାନ।
ଶିକ୍ଷକ,ଡେଙ୍ଗାଡି, ଗଞ୍ଜାମ,
୯୫୮୩୪୩୮୧୭୪।
ସ୍ୱରଚିତ*************