*ମଧୁସ୍ମୃତି ମଙ୍ଗୁଆଳ*
ସଂସାର ପାଶରୁ ମୁକୁଳାଇ ପ୍ରଭୁ
ବାନ୍ଧିଦିଅ ଭାବ ଡୋରେ
ମିଛ ଦୁନିଆକୁ ତୁଚ୍ଛ ମଣୁଥିବି
ତବ ଆଶୀର୍ବାଦ ଧାରେ।
ଖୁସିର ତରଙ୍ଗ ଫଗୁଣର ରଙ୍ଗ
ସପ୍ତରଙ୍ଗ ସୃଜନୀରେ
ଫୁଲର ବାସନା ଜହ୍ନର ଜୋଛନା
ନିୟତିର ନିର୍ଦ୍ଦେଶରେ ।
ଜଳ ସହ ପଙ୍କ ଯେପରି ସଂଯୁକ୍ତ
ସୁଖ ଦୁଃଖ ଉପସ୍ଥିତି
ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ
ଉଦୟାସ୍ତ ସିନା ସ୍ଥିତି ।
ପ୍ରାକୃତିକ ତୁମେ ପ୍ରକୃତିସ୍ଥ ତୁମେ
ପ୍ରକୃଷ୍ଟ ପ୍ରକୋଷ୍ଠ ପ୍ରଭୁ
ପ୍ରକ୍ରିୟା ପ୍ରୟାସ ପ୍ରଛଦପଟରେ
ପ୍ରଚ୍ଛନ୍ନ ପ୍ରଜ୍ଞାନ ବିଭୁ ।
ଶାଶ୍ବତ ଚିନ୍ତନ କରୁଣା ନିଧାନ
ଆଶାର ଆଲୋକ ମେରୁ
ବାହୁଛାୟା ତଳେ ରଖ ଦୟା ବଳେ
ତ୍ରାହି ଭବ ପାରାବାରୁ।
ହେ ପ୍ରାଣପ୍ରତିମ ମୂରଲୀ ମୋହନ
ମନ୍ତ୍ର ସରସୀର ଜଳ
ଜୀବନ ସାଧନ ସନ୍ଦେଶ ସୋପାନ
ମଧୁସ୍ମୃତି ମଙ୍ଗୁଆଳ।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା,ରାକମା,ନୟାଗଡ଼