ମାଆ
ବନଲତା ଜାଲି
ମାଆ ସ୍ନେହ ଚିରସ୍ରୋତା ଧାର
ଝରୁଥାଏ ନିରନ୍ତର
ସିଏ ପରା ଜୀବନ୍ତ ମୂରତୀ
ସର୍ବଂସହା ବସୁମତୀ
ରାଗି ବାନ୍ଧେ ଲୁଚି କାନ୍ଦେ
ମିଛେ ନିନ୍ଦେ କୋଳେ ଛନ୍ଦେ
ଶୁଭ ମନାସଇ ବସି ନିତି ।।
ପଣତ ତା’ ଶାନ୍ତିର ପସରା
ଝାଡେ କ୍ଳାନ୍ତି, ବ୍ଯଥା ପରା
ଜାଣଇ ସେ ଅନ୍ତର ବେଦନା
ବୁଝେ ମନକଥା ସିନା
ଲୁହ ପିଏ ଲହୁ ଦିଏ
ମାଡ଼ ଦିଏ କୋଳେ ନିଏ
ତା’ ସ୍ନେହର ନାହିଁ ତ ତୁଳନା ।।
ତା’ର କଥା ଅମୃତର ଝର
କୋଳଟି ସରଗପୁର
ବିପଦରେ ହୁଅଇ ଉହାଡ଼
ବିଶ୍ୱାସରେ ଅତି ଦୃଢ଼
ଦିଏ ଗାଳି ରଖେ ଅଳି
ଝାଡ଼ି ଧୂଳି ନିଏ ତୋଳି
ସହେ ଦୁଃଖ ହୋଇଣ ପାହାଡ ।।
ତା’ ସାନ୍ନିଧ୍ୟ ଅଟଇ ଅଭୟ
ମମତା ମୂଲ ଅଦେୟ
ସହେନା ସେ ଛୁଆର ବେଦନା
ଡାକ ମଧୁର ମୂର୍ଚ୍ଛନା
ଦିଏ ମାଡ଼ ସହେ ଝଡ଼
କରି ଆଡ଼ ହୁଏ ବାଡ଼
ତା’ ଆଦର ଶୀତଳ ଜୋଛନା ।।
ତା’ ହୃଦୟ ଅଟଇ ବିଶାଳ
ସର୍ବଦା ସେ କ୍ଷମାଶୀଳ
ତା’ କରୁଣା ଅମୃତର ସ୍ରୋତ
ଲେପନରେ ଆତ୍ମା ତୃପ୍ତ
ଦୁଃଖ ସହି ସୁଖ ଦେଇ
ଭୋକେ ରହି ଦିଏ ଖୋଇ
ତା’ର ସ୍ପର୍ଶେ କ୍ଳେଶ ପ୍ରଶମିତ ।।
କୃଷ୍ଣ ପ୍ରସାଦ,ପୁରୀ
120 total views, 1 views today