ସନେଟ -ପ୍ରେମ
ହୃଦ ପ୍ରେମ ସରେ / ପ୍ରେମ ତାମରସ /ପୂର୍ଣ୍ଣ ପୀରତି ରସେ
ଢାଳି ଅହରହ /ପ୍ରୀତିର ଫଲଗୁ /ମହମହ ମଧୁ ବାସେ ।
ପ୍ରେମ ମଧୁବନେ / ହରିତ ବନାନୀ /ଚୀର ସବୁଜିମା ଦିଶେ
କାବ୍ୟ ଉପବନେ /କିରତୀ ମଣ୍ଡିତା /ଝଟକେ ଝଲସେ ହସେ ।
ମନ ମନ୍ଦିରରେ /ପ୍ରୀତି ଆରାଧନା /ସପନ ଆହୂତି ଧୂପ
ବାଢି ନୈବେଦ୍ୟ /ଭକ୍ତିରସ, ଅର୍ଘ୍ୟ /ଅଭୟ ଆଶିଷ ଦୀପ ।
ଯାତନା ଯୁଇରେ /ସ୍ମୃତିର ପାଉଁଶ /ଜଳି ଜାଳେ ଅହରହ
ବିରହର ନିଆଁ /କୁହୁଳି କୁହୁଳି /ଅଙ୍ଗାରକୁ କରେ ଦାହ ।
ଭାଙ୍ଗେ ଅଚାନକ /ପ୍ରୀତିର କୋଣାର୍କ /ସ୍ୱପ୍ନ ଦରିଆକୁ ପାରି
ଆଖି କୋଣେ ଋଷେ /ବିନିଦ୍ର ରଜନୀ /ଋଷି ଋଷି ଯାଏ ମରି ।
ଲୁହକୁ ଲୁଚେଇ /କୋହକୁ ସାଉଁଟି /ପ୍ରେମୀ ସାଜେ ପଥରେକ
ସଞ୍ଜ ନଇଁଗଲେ /ପଶ୍ଚିମ ଆକାଶେ /କବିଟେ ପାଲଟେ ପଥିକ ।
ପ୍ରଣୟ ପୀୟୂଷେ /ପେରେମ କଣିକା /ଛାତିର ନିଗିଡା ଲହୁ
ଲୁହ ଲହରୀରେ /କୋହ ପୟୋଧି ରେ /ଦରଦ ଯାତନା ଢେଉ ।
ରିନା ପରିଡା
ଖୋର୍ଦ୍ଧା