ମୋ ଫୋନ
___________________________
ପ୍ରିୟ ସାଥୀ ମୋର ପ୍ରିୟ ସଜନୀ
ତା ବିନା ହୁଏନି କ୍ଷଣେ ସମ୍ଭାଳି
ଦିବସ ହେଉ ବା ହେଉ ରଜନୀ
ସଦା ଥାଏ ପାଶେ ଦୂରେ ଯାଏନି
ସେହି ମୋର ପ୍ରିୟ ଫୋନ ଯେ,
ରୁଚେନାହିଁ ତାର ବିନା ଖାଦ୍ୟ ପେୟ
ଏକା ଏକା ଲାଗେ ପ୍ରାଣ ଯେ l
କେତେବେଳେ ସାଜେ ପ୍ରାଣ ବାନ୍ଧବୀ
ଆଙ୍କେ ଏ ଜୀବନେ ସୁଖର ଛବି
କେତେବେଳେ ସାଜେ ସେ ପ୍ରିୟ ସଖା
ଦିଏ ଜ୍ଞାନ କରେ ଵିପଦୁ ରକ୍ଷା
କେତେବେଳେ ସାଜେ ଗୁରୁ ଯେ,
ଅବୁଝା ପାଠକୁ ବୁଝାଏ କ୍ଷଣିକେ
ଦିଏ ଉପଦେଶ ମଣି ଯେ l
କେତେ ବିଜ୍ଞ ବୁଧ ଜନଙ୍କ ସାଥେ
ଭେଟ କରାଇଛି ଜୀବନ ପଥେ
କବିତା ଲେଖିବା ଜ୍ଞାନ ପ୍ରଥମେ
ତା ଯୋଗୁଁ ଶିଖି ପାରିଥିଲି କ୍ରମେ
ଥିଲି ମୁହିଁ ଏକୁଟିଆ ଯେ,
କେତେ ଭାଇ,ବନ୍ଧୁ,ଭଉଣୀ ଙ୍କ ସାଥେ
ପରିଚିତ କରାଇଛି ଯେ l
ବାପା ବୋଉଙ୍କୁ ଛାଡି କାହିଁ ଦୂର
ରହି ମୁଁ ପାରେନା ହୁଏ ଅସ୍ଥିର
ହଟେ କର୍ମପଥୁ ମୋହ କାରଣ
ସେ ସମସ୍ୟା ର କଲା ସମାଧାନ
ଥିଲେ ମଧ୍ୟ ଯେତେ ଦୂରେ ଯେ,
ପାଶରେ ଥିବାର ଆଭାସ ଦିଅଇ
କ୍ଷଣକେ କଥା କରାଇ ଯେ l
କିବା ବର୍ଣ୍ଣିବି ମୋ ଫୋନ ର ଗୁଣ
କହିଲେ ସରିବନି ଦିନ ଦିନ
ତା ଭଳି ବନ୍ଧୁ ଏ ଜଡ଼ ସଂସାରେ
ମିଳିବେନି ବୋଧେ ଖୋଜିଲେ ସ୍ଥିରେ
ବହୁ ଭଲପାଏ ତାକୁ ଯେ
ମୋର ଦୁଃଖ ସୁଖେ ହୋଇ ସହଭାଗୀ
କିଣିଛି ସେ ମୋ ମନକୁ ଯେ l
______________________________
ନିର୍ମଳ ବାରିକ, କେନ୍ଦୁଝର
Nirmala Barik