ଲଲାଟ ଲିଖନ
ଲଲାଟ ଲିଖନ ହୁଏନା ଖଣ୍ଡନ
ଯାହା ଲେଖିଥାନ୍ତି ବିହି ,
ଭୋଗିବାକୁ ହୁଏ ଜୀବଦ୍ଦଶା ମଧ୍ୟେ
ବିଧିର ବିଧାନ ଏହି ।
ଶିବ ଭକ୍ତ ଜଣେ ଥିଲା ଏକ ଗାଁରେ
ନାଆଁ ତା’ର ନଟବର ,
ଅତ୍ୟନ୍ତ ଦରିଦ୍ର ଚଳଇ ବିଚରା
ଭିକ୍ଷା ମାଗି ବାରଦ୍ଵାର ।
ନଟ ଦୁଃଖ ଦେଖି ଗିରିରାଜ କନ୍ୟା
କହନ୍ତି ଶିବଙ୍କୁ ପ୍ରଭୁ ,
ଆପଣଙ୍କ ଭକ୍ତ ପାଏ ଏତେ କଷ୍ଟ
କେମିତି ଦେଖ ଏସବୁ ?
ହସି କହୁଛନ୍ତି ଭୋଳା ମହେଶ୍ୱର
ଏତ ଅଦୃଷ୍ଟ ଲିଖନ ,
ଧନ ଦଉଲତ ଅପାର ଦେଲେ’ବି
ତା’ପାଇଁ ଯେ ମୂଲ୍ୟହୀନ ।
ସତ ଅବା ମିଛ କରିବା ପରୀକ୍ଷା
ତୁମେ ମାତ୍ର ବସି ଦେଖ ,
ନଟବର ପଥେ ଯାଉଥିଲା କାହିଁ
ମାଗିବାକୁ ସେବେ ଭିକ ।
ସୁବର୍ଣ୍ଣ ଇଟାଟେ ଥୋଇଲେ ସମ୍ମୁଖେ
ମାୟାବଳେ ସଦାଶିବ ,
ଭାବୁଅଛି ନଟ ଅନ୍ଧ ପ୍ରାୟ ପଥ
ଅଣ୍ଡାଳି ଆଗକୁ ଯିବ ।
ଭାବନା ତାହାର କଲା କାର୍ଯ୍ୟକାରୀ
ବାଟ ଚାଲେ ଅନ୍ଧ ଭଳି,
ସୁବର୍ଣ୍ଣ ଇଟାକୁ ପାଦରେ ଝୁଣ୍ଟି ସେ
ଦିଅଇ ଅନ୍ୟକୁ ଗାଳି ।
କେଉଁ ମୁର୍ଖ ଭଲା ବାଟ ମଝିଟାରେ
ପକାଇଛି ଇଟା ଖଣ୍ଡ ,
ଇଟା ପାର ହୋଇ ଆଖି ଖୋଲି ଚାଲେ
କ୍ଷିପ୍ରେ ପକାଇ ପାହୁଣ୍ଡ ।
ବୁଝିଗଲେ ଗୌରୀ ଭାଗ୍ୟେ ୟା’ର ନାହିଁ
ଜିଇଁବା ପାଇଁ ସୁଖରେ,
ଭିକ୍ଷାବୃତ୍ତି କରି ଚଳିବା ଏହାର
ଲେଖାଅଛି କପାଳରେ ।
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର
ବହୁତ ସୁନ୍ଦର ଲେଖା
ଭଲ ଲଗିଲା