ଏରୁଣ୍ଡିବନ୍ଧର ମୋହ
_____________
ତୁଟାଇ ପାରୁନାହିଁ ଏରୁଣ୍ଡିବନ୍ଧର ମୋହ
ଲାଗୁଛି ଯେମିତି ତା’
ଉଷ୍ମ ଆଲିଙ୍ଗନେ କୋଳେଇ ନେବାକୁ
ନେହୁରା ହେଉଛି
ମନରେ ଉଙ୍କି ମାରୁଛି କେତେ ଯେ
ପ୍ରଶ୍ନର ଜୁଆର
ଅଗଣିତ ସ୍ବପ୍ନର ହରଣ
ଭାଗଶେଷ ଶୂନ ହେବାକୁ ବସିଲାଣି…
କେତେ ଶୋଷ ଧିରେ ଧିରେ ବଦଳି
ନାମିତ ହେଉଛି ଅବଶୋଷରେ
ଲାଗୁଛି ସତେ ଯେମିତି
ଖୁସି ମହଲରୁ ଆସ୍ତେ ଆସ୍ତେ ଇଟା ଗୁଡାକ
ଖସି ପଡୁଛି ଅନାୟସେ !
ମୋ ଜିଦ୍ ପୂରଣ ପାଇଁ
ବାପା ଦହନ କରିଛନ୍ତି
ଫର୍ଦ୍ଦ ଫର୍ଦ୍ଦ ଖୁସି ସବୁ
ମାଆଙ୍କ ଲୁହ ଦରିଆର ମନ୍ଦ ତରଙ୍ଗ
ହଲଚଲ ସୃଷ୍ଟି କରେ
ହୃଦ-ବେଳାଭୂମି ଛୁଇଁ
ମନେପଡେ ସେଇ ଜହ୍ନମାମୁଁ ତୋଳା
ସୁମଧୁର ଲୋରି…
ଫେରି ଆସନ୍ତାକି ସେଇ ଅଫେରା ଅତୀତ
ଯେଉଁ ଦୁନିଆରେ
ନା ପାଦରେ ବନ୍ଧନ ଶିକୁଳି
ନା ମୁଣ୍ଡରେ ଦାୟିତ୍ୱର ଭାର
ଉଡୁଥିଲା ମନ ମୁକ୍ତ ବିହଙ୍ଗ ସାଜି…!!
ଉର୍ମିଳା ଗଉଡ଼,
କଳାହାଣ୍ଡି
61 total views, 1 views today