ସହିଷ୍ଣୁ ତ ସର୍ବସାର
ଜ୍ୟୋତ୍ସ୍ନା ରାଣୀ ଦେବୀ
କ୍ଷମାଶୀଳ ଅଟେ ମହତ ଜଗତେ
ସହିଷ୍ଣୁ ତ ସର୍ବସାର
କହିବା ଲୋକଟି ଆପେ ବଖାଣାଇ
ନିଜ ବଡିମା ଅପାର ।
କ୍ଷମା ଉପୁଜାଏ ଅରିରେ ମମତା
କରେ ମୈତ୍ରୀ ସଂସ୍ଥାପନ
ଅପକାରୀ ତମ ନାଶ କରି କରେ
ଧୀରଜ ସାହାସ ଦାନ ।
ଅଜ୍ଞାନ ପଟଳ ଘେରି ରହିଥାଏ
ଦଣ୍ଡଧାରୀ ଯଦି କରେ
ଅସ୍ତ୍ର ଧରିଜାଣେ ଅହଂ ଆଚରଣେ
ନିଜ ନାଶ ନିଜେ କରେ ।
ଋଷି ବିଶ୍ଵାମିତ୍ର ତାପସ ସାଧକ
ଅହଙ୍କାର ବଳେ ବଳୀ
ହୋଇ ନରହନ୍ତା କରିଲେ ଅହନ୍ତା
ବଶିଷ୍ଠ ପୁତ୍ରଙ୍କୁ ଦଳି ।
ମହର୍ଷିଙ୍କ ଗୁଣଗାରିମା ନ ଥାଇ
ପଦବୀ ଲାଳସା ନେଇ
ହତ୍ୟା ଅପରାଧେ ନିର୍ଦ୍ଦୋଷରେ ବଧି
ପଉରୁଷ ବଳି ଦେଇ ।
ହୋଇଲେ କି ବଡ଼, ଶାଣିତ କୃପାଣ
ହସ୍ତରେ ଶୋହିଲା ସିନା
ବଶିଷ୍ଠଙ୍କ କ୍ଷମା ମହତପଣିଆ
ସବୁ କରିଦେଲା ଚୁନା ।
ଆପଣା ଗରବ ଆତ୍ମ ସମୀକ୍ଷାରେ
ସ୍ଵୀକାରିଲେ ନିଜ ଦୋଷ
ବଶିଷ୍ଠ ଉଚ୍ଚାରି ହେ ଶ୍ରେଷ୍ଠ ମହର୍ଷି
କରିଲେ ତାହାଙ୍କୁ ତୋଷ ।
ଉଦାରମନା ତ କ୍ଷମା ଆଚରଇ
ନୀଚମନା ଦିଏ ଦଣ୍ଡ
ପ୍ରତିଶୋଧ ପଣ ପିଣ୍ଡ ଅକାରଣ
କରି କରେ ସର୍ବ ଭଣ୍ଡ ।
ଉଚ୍ଚମନା ଲଭେ କୀରତି ଅପାର
ନୀଚମନା ନୀଚଗତି
ଅଢେଇଦିନିଆ ସଂସାରରେ କାହିଁ
ବଞ୍ଚିବାନି କରି ପ୍ରୀତି ?
ବ୍ରହ୍ମପୁର, ଗଂଜାମ