ଶରତ ଆସିଛି
~~~~~◆~~~~~
ଶୁଭ୍ର କାଶତଣ୍ଡିର ସମ୍ଭାରରେ
ଦେଖ ଶରତ ଆସିଛି
କାଚକେନ୍ଦୁ ପାଣିରେ ନୀଳକଇଁ
ଫୁଟି କିପରି ହସୁଛି ।
ଅମ୍ବର କୋଳରେ ରୂପାଜହ୍ନ
ବୁନ୍ଦା ବୁନ୍ଦା ଶିଶିର ତୋପାରେ
ପଠାଉଛି କୈରବ ପାଖକୁ ପ୍ରୀତି ଉପହାର,
କମଳ ପାନ କରୁଛି କି ଆନନ୍ଦେ
ଅମୃତୋପମ ସପ୍ତରଙ୍ଗୀ କିରଣ
ଯାହା ସିଞ୍ଚନ କରନ୍ତି ଦିବାକର ।
ଶିଆଳି ଲତାର କୁଞ୍ଜରେ
କୃଷ୍ଣରୂପୀ ଭାବନା ସବୁ ଝୁଲୁଛନ୍ତି ଅବା
ଅପାଶୋରା ସ୍ୱପ୍ନକୁ ଚୋରାଇ,
ନିର୍ମଳ ଶରତର ମେଘମୁକ୍ତ ସକାଳ
ପୀତବର୍ଣ୍ଣା ସନ୍ଧ୍ୟା ଓ ପୂର୍ଣ୍ଣମୀର ରଜନୀରେ
ସ୍ୱର୍ଗ ହୁଏ ମହୀ ।
ଶରତର ମଧୁମୟ ପରଶ
ଛୁଇଁଯାଉଥାଏ ତନୁ, ମନ, ପ୍ରାଣକୁ
ମୁଗ୍ଧ ଶ୍ରୋତା କାନରେ ସୁମଧୁର ସଙ୍ଗୀତ ପରି,
ଆସନ୍ନ ସନ୍ଧ୍ୟାରେ ତାରକାର ଇନ୍ଦ୍ରଧନୁ
ଯେବେ ନାଁ ଲେଖେ ଦଶଭୁଜାଙ୍କର
ପାର୍ବଣ ଋତୁରେ ମା ଆସନ୍ତି ଯେ ଧରା ଅବତରି ।
ନିର୍ମଳ କୋମଳ ସେ ଶରତର
ସ୍ନେହସିକ୍ତ ଶ୍ରଦ୍ଧାସ୍ନିଗ୍ଧ ମମତାମୟ ରସରେ
ମା କରନ୍ତି ଧରାବତରଣ,
ଅନୁଭୂତିର ଶାମୁକାରେ ସ୍ମୃତିର ମୋତି ସାଜି
ଶରତର ବେଳା ପାଲଟିଯାଏ
ମର୍ମସ୍ପର୍ଶୀ ମନ ଆଭରଣ ।
ପ୍ରିୟଦର୍ଶିନୀ ମହାପାତ୍ର
ଗଞ୍ଜାମ, ଓଡିଶା
983 total views, 1 views today