ଲୁହର ଅନ୍ତରାଳେ
ପ୍ରଣତି ଆଚାର୍ଯ୍ୟ ମିଶ୍ର
ଧୂସର ବାଲିର ପଥେ ଚାଲୁଚାଲୁ
ଆଶା ଯେବେ ମରିଯାଏ
ଚକ୍ଷୁ ରେ ସଞ୍ଚିତ କିଛି ଅଶ୍ରୁଧାର
ନିଶବ୍ଦ ରେ ଝରିଯାଏ।।
କେତେ ଆଶା କେତେ ଆହ୍ଲାଦ ସେଥିରେ
ସ୍ମୃତି ର କାହାଣୀ ଲେଖା
ମାନ ଅଭିମାନ ଭାବର ତରଙ୍ଗ
ଭରା ମୌନ ଅଗ୍ନି ଶିଖା।।
ବିଫଳତା ଚିତ୍ର ଏଣେତେଣେ ଅଙ୍କା
ସ୍ବପ୍ନ ର ପାକଳକ୍ଷତ
ଧୂସର କରବୀ ଦୂରାଗତ ଜହ୍ନ
ଶୁନ୍ୟତା ଜ୍ବାଳା ରେ ସ୍ମିତ।।
ସତାୟୁ ସ୍ବପ୍ନ ର ଆତ୍ମଗୋପନ ରେ
ମଉଳି କୁହୁଳି ଯାଏ
ନିବିଡ଼ ଆଶ୍ଳେଷ ବୁନ୍ଦା ବୁନ୍ଦା ହୋଇ
ମୁହୁର୍ତ୍ତକେ ବୋହିଯାଏ।।
ଦରଭଙ୍ଗା ଜହ୍ନ ବାଦଲ ସେପାଖେ
ଅସ୍ତ ସୂର୍ଯ୍ୟ ର ଇଙ୍ଗିତ
ଲୁହରେ ବନ୍ୟା ରେ ଭିଜଇ ବସନ
ହୃଦ ଚିର ବିହ୍ୱଳିତ।।
ସଂଗୋପିତ ବ୍ଯଥା ବଖାଣି ହୁଏନି
ଅନ୍ତର୍ଦାହେ ଅଶ୍ରୁଝରେ
କୋହର କାରୁଣ୍ୟ ଦେଖନ୍ତିନି କେହି
ଉଙ୍କିମାରେ ଚକ୍ଷୁଧାରେ।।
ଅଶ୍ରୁ ଅନ୍ତରାଳେ ଉଛୁଳା ଆବେଗ
ଉଛୁଳି ମଉଳି ଯାଏ
ଅଧାଜଳା ପାଦ ଅହରହ ଜଳି
ଲୁହ ପିଇ ଚାଲୁଥାଏ।।
କଥାକୁହା ସେହି ନିଳଆଖି ଦୁଇ
ଯାତନା ନିଆଁ ରେ ଜଳେ
ବାଉଳା ପବନ ଆକ୍ତାମାକ୍ତା କରେ
ପାଉଁସ ଗଦାର ତଳେ।।
ହୃଦୟ ବେଦନା ମନଶ୍ଚକ୍ଷୁରେ
ଲୁଚିଥିବା ବ୍ୟାକୁଳତା
ଭାବର ଭାବାର୍ଥ ଅଶ୍ରୁ ହୋଇ ଝରେ
ବୁଜିଦେଇ ଆଖିପତା।।
ପୁଞ୍ଜି ଭୁତ କୋହ କିଛି କ୍ଷଣ ପାଇଁ
ସଂମ୍ପର୍କ ଭାବ ସାଉଁଟେ
ସମ୍ଭାବ୍ୟ ସ୍ବପ୍ନ ର ତନ୍ଦ୍ରାଳସ ହୋଇ
ପୁଣି ଝରେ ଚକ୍ଷୁ ବାଟେ।।
ନୟାଗଡ଼