ଲୁନା ଚାହିଁଥିଲା ବାଟକୁ
ଅଜା ଯାଇଥିଲେ ହାଟକୁ
ଲୁନା ଚାହିଁଥିଲା ବାଟକୁ
ଅଜା ଆଣିଦେଲେ ପିଆଜି ପକୁଡି
ଖାଇଦେଇ ଯିବ ମଠକୁ ।
ଆଈ ସାଥେସାଥେ ଆଗରେ
ଚାଲୁଥିଲା ବଡ଼ ବାଗରେ
ହାତକୁ ହଲାଇ ବାହା ଦୋହଲାଇ
ତା’ ସହ ତାହାର ସାଙ୍ଗରେ ।
ହେଉଥିଲେ ଦୁହେଁ ଚଗଲା
ଦେଖିଲେ ଯାଉଛି ପାଗଳା
ଟେକା ଛାଡିଦେଲେ ,ଆଈ ଡାକଦେଲେ
କି କରୁଛ ଆରେ ବଗୁଲା ।
ପାଗଳା ଆସିଲା ଗୋଡେଇ
ଲୁନାକୁ ନେଲା ତ ଛଡେଇ
ଧାଇଁଲେ ପଛରେ ଯେ ଯାହା ଇଛାରେ
ଆଈ ଗଲେ ହଡ଼ବଡେଇ ।
କି କରିବି ବୋଲି ଭାଳିରେ
କାନ୍ଦିଲେ ମୋ ଗଳାମାଳିରେ
ହାତ ଯୋଡିଦେଲେ ପାଗଳା ଆଗରେ
ଦେଇଦେଏ ସୁନାଥାଳିରେ ।
ହସୁଥିଲା ସେଠି ପାଗଳ
ଦେଖିଲା ଆଈର ବିକଳ
ଫିଙ୍ଗିଲା ଲୁନାକୁ ଆଈ ଉପରକୁ
ଦେଖୁଥିଲେ ଲୋକ ସକଳ ।
କହିଲେ ଏଡିକି ବାତରା
ଟୋକାଟା ହବ କି ଛତରା ?
ବେଳହୁଁ ଏହାକୁ ନ ଆକଟିଲେ
କାନ୍ଦୁଥିବ ହୋଇ କୋତରା ।
ମଠ ବୁଲିବାଟା ନୋହିଲା
ଆଈ କାନ୍ଦିକାନ୍ଦି କହିଲା
ଭଲବାଟେ ଗଲେ ମଣିଷ ହୋଇବୁ
ଏ କଥା କି ମନେ ରହିଲା ?
ବିନୟୀ ହୋଇଲେ ମହୀରେ
ସବୁ ଦୁଃଖ ଯିବୁ ସହିରେ
ହଟିଯିବ ଯେତେ ଝଡଝଞ୍ଜା ବାବୁ
ଯଶ ଥିବ ତୋର ରହିରେ ।
ଲୁନା କାନ୍ଦୁଥିଲା ବିକଳେ
ଭିଡି ଧରିଥିଲା ଆକୁଳେ
କହୁଥିଲା ଧୀରେ ଭଲପିଲା ହେବି
ପଢି ପାଠ ସଂଜସକାଳେ ।
ଜ୍ୟୋତ୍ସ୍ନା ରାଣୀ ଦେବୀ
ବ୍ରହ୍ମପୁର, ଗଂଜାମ