କୃଷକ ଦିବସ
ଚାଷ ଅଛି ଯାହାର କେଡେ ସୁଖ ତାହାର ।
ଏକଥା ଯେ କହିବ ବୁଦ୍ଧି ନାହିଁ ଜାଣିବ।
ଦେଶ କରେ ଉନ୍ନତି ଚାର୍ବାକୀୟ ସଂସ୍କୃତି ।
ଆମେ ନେଉ ଆଦରି ଜିଇଁବା ଋଣ କରି ।
କାହାଘରେ ନାହିଁତ ପରିବାର ଆୟତ୍ତ ।
ଆଧୁନିକ ଚଳନ ପିଲାମାନେ ସ୍ୱାଧୀନ ।
ଯିଏ ହେଲା ପଛୁଆ ମଫସଲି ଭକୁଆ ।
ଚାଷୀ ପିଲା କାହିଁକି ପଛୁଆ ରହିବକି !
ବାଇକି ଲୋଡା ତାକୁ ୱାଟ୍ସପ୍ ଫେସବୁକୁ।
କେଏଫସି ପିଜାହର୍ଟ କୋଲ୍ଡକଫି ହାଫଚାର୍ଟ।
ଚାଷୀ ପୁଂଜି ଏଥିରେ ଯଦି ଯିବ ବହିରେ।
ବିହନରେ ଠକେଇ ସାର ଯାଏ ଉଭେଇ ।
ବନ୍ୟା ବାତ୍ୟା ମରୁଡି ସବୁ କଲା ଅଗାଡି ।
ବିକ୍ରି ହୁଏ ଅଭାବି କ୍ଷତି କଥାଟି ଭାବି ।
ଚାଷୀ କରେ ଭାଳେଣି ଋଣ କାହୁଁ ଭରଣି !
ଟିଭି ଚ୍ୟାନେଲରେ ମାତି ଘରଣୀ ନଦିଏ ସାଥୀ।
ଶୁଣେ ଝିଂଗାସ ବଚନ ଭାଂଗିଯାଏ ତା’ ମନ ।
ଘରେ କୀଟନାଶକ ହୁଏ ପ୍ରାଣ ଘାତକ ।
ବିରୋଧୀଂକୁ ମଉକା ସର୍କାରେ ଦେବେ ଚେଂକା ।
ସରକାର ଦରଦୀ କମିସନ ବରାଦି ।
କୃଷିନୀତି ବଖାଣି ଦେଖାନ୍ତି ଠାଣିମାଣି ।
ଚାଷୀର କିଵା ଲାଭ ସତେ ଆଉ ଜିଇଁବ !!
ଚାଷ ଅଛି ଯାହାର ଦୁଃଖ ସାଥି ତାହାର ।
ପାଳେ ସିନା ସଂସାର ଦେଇ ସିଏ ଆହାର।
(କିଷାନ ଦିବସରେ କୃଷକ ଭାଇଙ୍କୁ ପ୍ରଣାମ)
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।
356 total views, 1 views today