କୋଣାର୍କ
*******
ଧରଣୀ ବୁକୁରେ ସୁରମ୍ୟ ମନ୍ଦିର
ଧାବମାନ ରଥ ସତେ
ଉଦିତ ସୂର୍ଯ୍ୟର ସ୍ନିଗଧ କିରଣ
ଛୁଇଁ ଯାଏ ଆସି ପ୍ରାତେଃ
ସେଇ ଚାରୁ କୋଣାରକ
ପାଷାଣ ଦେହରେ ସୁଷମା ଖେଳାଇ
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ଏକ ।୧।
ଅର୍କକ୍ଷେତ୍ର ପରେ ଚନ୍ଦ୍ରଭାଗା ଧାରେ
ଅବିସ୍ମରଣୀୟ କୀର୍ତ୍ତି
ବିଶ୍ଵ ଐତିହ୍ୟରେ ତୁ କଳା ପାଗୋଡା
ଗଢିଛି ଓଡ଼ିଆ ଜାତି
ପ୍ରଭୁ ସୂର୍ଯ୍ୟଦେବ ପାଇଁ
କଳା ଚାତୁରୀରେ ଗଢା ତୋ ଶରୀର
ଆଖି ଫେରି ଆସେ ନାହିଁ ।୨।
ବାରଶହ ଶିଳ୍ପୀ ବିରହର ଗାଥା
ତୋହରି ଛାତିରେ ଆଙ୍କି
କାଳର ସ୍ରୋତରେ ହଜିଗଲେ ସିନା
ତୁ ରହିଛୁ ମୂକ ସାକ୍ଷୀ
ଅପରୂପ ଅନୁପମ
ତୁହି ଅଦ୍ୱିତୀୟ ଜଗତେ ବିସ୍ମୟ
ଶିଳା ଦେହେ ତୁହି ପଦ୍ମ ।୩।
ଛାତିରେ ସାଇତି ଲୁଚାଇ ରଖିଛୁ
କାରୁଣ୍ୟର ଇତିହାସ
ନଗ୍ନ ନର୍ତ୍ତକୀର ଅଧରେ ଭରିଛୁ
କୋହଭରା ମିଠା ହସ
ନୀରବେ ଗଡାଉ ଲୁହ
ଶୁଷ୍କ ବାଲି ଶେଯେ ପୂଣ୍ୟତୋୟା ନଦୀ
ନିରେଖି ଦେଖେ ତୋ ମୁହଁ ।୪।
ପଥର ଦେହରେ କଳା ଚାତୁରୀରେ
ମୋହିଛୁ ତୁ କୋଟି ମନ
ଯେ ତୋତେ ଗଢିଛି ତା’ କଥାକୁ କେବେ
ପଚାରେନି ବିଶ୍ବଜନ
ଶିଳ୍ପୀ କୂଳ ଭଗୀରଥ ଧରମା ରଖିଲା ନିଜ ଆହୂତିରେ
ବାରଶ ବଢେଇ ସ୍ବାର୍ଥ ।୫।
ଭଗ୍ନ ମୁଖଶାଳା ଏବେ ବି ନିଶିଥେ
କାନ୍ଦେ ପରା କଇଁ କଇଁ
ଯୁଗ ଯୁଗର ସେ ଅକୁହା କାହାଣୀ
ଶୁଣିବାକୁ କେହି ନାହିଁ
ଯନ୍ତ୍ରଣା କାତର ସ୍ବର
ଲହୁ ଲୁହ ଭରା ଜୀବନ ଗାଥାର
ସାକ୍ଷୀ ତୁ ଭବ୍ୟ ସ୍ଵାକ୍ଷର ।୬।
ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ, କଟକ#