*କବି*
ଗରଳକୁ ପାନକରି ବାଣ୍ଟୁଥାଏ ସୁଧା
ତା’ ଜୀବନ ଚଲାପଥେ କେତେ ପୁଣି ବାଧା
ଆଜୀବନ ଲେଖୁଥାଏ କବିତା ଯେ ଭାବି
ଈଶ୍ୱରଙ୍କ ଅଦ୍ୱିତୀୟ ସୃଷ୍ଟି ଅଟେ କବି ।।
ସମାଜର ହିତରେ ଯେ ରହିଥାଏ ବ୍ରତୀ
ଅନୁଭୂତ ହୁଏ ନାହିଁ କି ଦିନ କି ରାତି
ଅର୍ଥ ପ୍ରତିପତ୍ତି ପଛେ ଗୋଡାଏନି କେବେ
ସାଧନାର ଫଳ ଏକା ପାଠକ ହିଁ ଦେବେ ।।
ଧର୍ମ ଯେ ଅଟଇ ତା’ର ସାହିତ୍ୟର ସାଧନା
କଲମ ମୁନରେ ଜନ୍ମେ ଅଗଣିତ ରଚନା
ମୃତ ସଞ୍ଜିବନି ସାଜି ପ୍ରାଣ କରେ ଜୀବିତ
କବିର ସ୍ପର୍ଶରେ ସତେ ସବୁଜିମା ପ୍ଳାବିତ ।।
ରସମୟ ସାଜେ ଚିତ୍ତ କାବ୍ୟ କଲେ ପଠନ
ଅନ୍ୟାୟକୁ କରି ନାଶ ସମାଜ ହୁଏ ଗଠନ
ବିପ୍ଳବର ବହ୍ନିଜାଳେ କବିଟିର କଲମ
ଭଗ୍ନହୃଦୟଟେ ଲାଗି ସାଜେ ପୁଣି ମଲମ ।।
ସୂକ୍ଷ୍ମକାରୁକାର୍ଯ୍ୟ ଥାଏ ଯାହାକୁ ଯେ ଜ୍ଞାତ
ବିଶ୍ୱପିତାଙ୍କ ଠୁ ସିଏ ହୋଇଥାଏ ଜାତ
ଦିବ୍ୟଜ୍ଞାନେ ସଂସାରକୁ କରେ ଅବଲୋକ
କ୍ଷଣିକରେ କବି ହରେ ସମାଜର ଶୋକ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର