ବିଷୟ – କିଛି କଥା ଥିଲା
କିଛି କଥା ଥିଲା ତୁମ ସାଥେ ପ୍ରିୟା
ରହିଗଲା ସବୁ ବାକି,
ଭାବେ କହିଦେବି ହେଲେ ନିରବ ମୁଁ
ତୁମ ଚିତ୍ର ଛବି ଆଙ୍କି।
ମନ ଖୋଜୁଥିଲା ତୁମ ପରି ଝିଅ
ପାଇ ଥିଲି ନିକଟରେ,
କିନ୍ତୁ ବିବାହିତ ଆଉ ଜଣେ ପତ୍ନୀ
ଅଛି ମୋର ଜୀବନରେ।
କେତେ ପ୍ରେମଭାବ,ଉଛୁଳା ପ୍ରତି ଯେ
ତୁମ ପାଇଁ ରଖିଥିଲି,
ହେଲେ ଭାଗିଦାରୀ ହୋଇ ନପାରିବ
ସବୁ ହୃଦେ ସାଇତିଲି।
ପ୍ରେମ ମାନେ ନାହିଁ କୋଉ ବନ୍ଧ,ବାଡ଼
ମାଡ଼ି ଚାଲେ ସେ ଆଗକୁ,
ମୁଁ କିନ୍ତୁ ପଛକୁ ରହିଗଲି ପ୍ରିୟେ
ଅନାଇ ମୋ ବାନ୍ଧବୀକୁ।
ମୋର ନହୋଇ ହେବ ଯାର ଘରଣୀ
ଘର ହେବ ସ୍ବର୍ଗ ପୁରି,
ତୁମ ସୁଖ ଦେଖି ଖୁସି ହୋଇ ଯିବି
କି ଅବା ଦେବି ପାସୋରି।
ଯାଅ ତୁମେ ଫେରି ଫୁଲ ବିଛା ପଥେ
ଶୁଭ ବିଦାୟ ଦେଉଛି,
କଣ୍ଟକିତ ବାଟେ ପାଦ ନପଡ଼ୁ ଏ
ଆଶୀର୍ବାଦ କରୁ ଅଛି।
କଥା ମୋର ଶୁଣି ପ୍ରିୟା କହି ଦିଏ
ଆଉ କି ପ୍ରେମ କରିବି,
ତୁମ ପରି ପ୍ରେମି ମିଳିବେକି ଆଉ
ସାରା ବିଶ୍ଵ ଖୋଜିଲେ ବି।
ତପନ କୁମାର ସ୍ୱାଇଁ ✍️
ଗଞ୍ଜାମ, ବୁଗୁଡ଼ା