………. କିଏ ତୁମେ ???……..
# ଶରତ ଚନ୍ଦ୍ର ପଣ୍ଡା
ଶରୀର ନ ଥିଲା ତୁମେ ଥିଲ ବନ୍ଧୁ
ଆତ୍ମା ଅବିନାଶୀ ମନେରଖ
ଦେହ ଚାଲିଯିବ ତୁମେତ ରହିବ
କିଏ ତୁମେ ଥରେ ଭାବିଦେଖ |
ତୁମେ ଶାଶ୍ୱତ ଅଜର ଅମର
ମୃତ୍ଯୁ ତୁମର ହୁଏ ନାହିଁ
ଦୁଃଖିତ ହେଉଛ ମୃତ୍ଯୁ ହେଲା ବୋଲି
ଦେହ ତ କାହାର ରହିନାହିଁ |
ପ୍ରତି ମୁହୂର୍ତ୍ତରେ ମରୁଅଛି ଦେହ
ସଂସାରର ଏକ ଉପାଦାନ
କ୍ଷୀତ ଅପ ତେଜ ବ୍ୟୋମ ଓ ମରୁତ
ପଞ୍ଚ ମହାଭୂତ ସଂଗଠନ |
କାନ୍ଦୁଛ କାହିଁକି ମିଛ ଦେହ ପାଇଁ
ମିଥ୍ୟାକି କେବେ ସତ୍ୟ ହୁଏ
ମାଟିର ଦେହଟା ମାଟିରେ ମିଶିବ
ଆତ୍ମାର ବିନାଶ କେବେ ନୁହେଁ |
ତୁମେ ଦ୍ରଷ୍ଟା ସାକ୍ଷୀ ସମସ୍ତ ବିଶ୍ୱର
ଦୃଶ୍ୟର ବିନାଶ ହେଉ ଅଛି
ତୁମର ପ୍ରକାଶେ ସବୁ ପ୍ରକାଶିତ
ତୁମ ଆଧାରରେ ତିଷ୍ଠିଅଛି |
ତୁମେ ସଦାମୁକ୍ତ ମୁକ୍ତି ବାଞ୍ଛାକର
ଏହା ହିଁ ତୁମର ମୂଢ଼ ଭାବ
ଆତ୍ମାର ଭାବକୁ କରିଲେ ସ୍ୱୀକାର
ସତ୍ୟ ଉପଲବ୍ଧି କରିହେବ |
ବାଦଲ ସୂର୍ଯ୍ୟକୁ ଘୋଡାଇ ପାରେକି
ତାହାକୁ ବାନ୍ଧିବା ଶକ୍ତି କାହିଁ
ସୃଷ୍ଟି ସ୍ରଷ୍ଟା ମଧ୍ୟେ ହୁଅଇ ବିଲୟ
କେବେ ସେ ସ୍ରଷ୍ଟାଙ୍କୁ ଜାଣିନାହିଁ |
ମିଛ ସଂସାରକୁ ଅନ୍ତରରେ ଧରି
ପ୍ରତି ମୁହୂର୍ତ୍ତରେ ଦୁଃଖ ପାଅ
ତୁମେ ଅଟ ଦିବ୍ୟ ଆନନ୍ଦ ସାଗର
ଏ କଥାଟି ମନୁ ଭୁଲିଯାଅ |
ସଂସାର ତୁମର ହୋଇନାହିଁ କେବେ
ଭାବୁଅଛ ମିଛେ ମୋରମୋର |
ନିର୍ଲିପ୍ତ ଭାବରେ କର୍ମ କରିଗଲେ
କର୍ମ ବନ୍ଧନରୁ ହେବ ପାର |
ଗ୍ରା /ପୋ -ଡ଼େଙ୍ଗାଡି, ଗଞ୍ଜାମ |
363 total views, 1 views today