କିଏ ପାଣି କିଏ ପଥର
କିଏ ପାଣି କିଏ ପଥର ଏଇଠି
ଭାବିଲେ ସବୁ ନିଜର,
ଦୁଇ ଜଣ ଯାକ ଅତି ଆପଣାର
କାର୍ଯ୍ୟ କରେ ପ୍ରାଣୀଙ୍କର।
ପଞ୍ଚ ତତ୍ତ୍ୱ ମଧ୍ୟେ ଦୁଇ ଉପାଦାନ
ସେ ଦୁହେଁ ଆମ ଜୀବନ,
ପଥର ଦିଅଇ ବାଲି ରେଣୁ ମାଟି
ପାଣି ଦିଏ ଜୀବ ଦାନ।
ନିଃସ୍ଵାର୍ଥର ସେବା ପାଣି ପଥରର
ତା’ଠାରୁ କିଛି ଶିଖିବା,
ରାଗ, ହିଂସା,ଦ୍ୱେଷ ଦୂରେ ଫିଙ୍ଗିଦେବା
ମନ ନିର୍ମଳ କରିବା।
ସ୍ନେହ ଦୟା କ୍ଷମା କରୁଣା ମମତା
ହେବ ପ୍ରୀତି ଫୁଲହାର,
ପ୍ରେମର ବନ୍ଧନେ ସଭିଙ୍କୁ ବାନ୍ଧିବା
ସମସ୍ତେ ଆମ ନିଜର।
ପର ଆପଣାର ଆମେ ନ ଭାବିବା
ଗୋଟିଏ ବୃକ୍ଷର ଡାଳ,
ଛାୟା ଦେବା ପୁଣି ପରୋପକାରରେ
ସାରିବା ଜୀବନ ବେଳ।
ଜୁଇ ଜାଇ ମଲ୍ଲୀ ମାଧବୀ ମାଳତୀ
ମହକରେ ଭରି ଦେବା,
କିଏ ପାଣି କିଏ ପଥର ନ ଭାବି
ମୁଖେ ହସ ଭରି ଦେବା।
ବାସନ୍ତୀ ଲତା ଜେନା
ନବରଙ୍ଗପୁର