କୁହୁକ କୁହାଟ
କୁହୁକ କୁହାଟେ କୋହର କଜ୍ଜଳ ବୋଳି
ମନ କନ୍ଦରରେ କ୍ଷଣେ କ୍ଷୀପ୍ରେ ଯାଅ ଚଳି ,
କର୍ଣ୍ଣେ କର୍ଣ୍ଣେ କୁହ କ୍ଲେଶର କୌଶଳ ବାଣୀ
କେବେ ହସ୍ତ କେବେ ଦଦରା ହୃଦକୁ ଝୁଣୀ ।
କୁସୁମ ସହିତ କୁହୁଳା ଅତୀତ ଦେଇ
କିମ୍ବଦନ୍ତୀ ପରି ଯୁଗାନ୍ତର କଥା କହି ,
ଧିମେଇ ଜାଳିଲ ବିରହ ଜ୍ୱାଳାର ଜୁଇ
ସଙ୍ଗେ ଜଳେ ମୋର ମନ ପ୍ରାଣ ଏକ ହୋଇ ।
ଅଭିବ୍ୟକ୍ତ ଯାହା ଅଭାବି ଆଳାପ ମଧ୍ୟେ
ଅସରନ୍ତି ସ୍ମୃତି ଅନୁଶୟ ଅତି ଧନ୍ଦେ ,
ଅନୁରକ୍ତି ଅବା ଅନୁରାଗ ଅନୁମିତ
ଅଶେଷ ବିଶେଷ ଅଲୋଡ଼ା ମୋହରି ଚିତ୍ତ ।
କୁହୁକ କିତାପ କିଞ୍ଚିତ ଆବେଗ ଭରେ
କାୟା କୋଠରୀରେ କାଳିମା ସଧିରେ ଘେରେ ,
କେମନ୍ତେ କୌମୁଦୀ ପ୍ରବେଶ କରିବ ମଧ୍ୟେ
କୋହ ଭରା କଳା ପ୍ରୀତି ପରଶର ଛନ୍ଦେ ।
କ୍ଷିତି କ୍ଷୁଣ୍ଣ କ୍ଷୁଣ୍ଣ କ୍ଷୁଦ୍ର ହୃଦ ଦରିଆରେ
କ୍ଷତ ହୃଦୟକୁ କୌତୁକ ସ୍ମୃତିର ତୀରେ ,
ଖଞ୍ଜା ଖଞ୍ଜା ସ୍ମୃତି କ୍ଷତକୁ ବ୍ୟାଘାତ କରେ
କୁହୁକ କୁହାଟ କ୍ଷତ ହୃଦେ କ୍ଷୋଭ ଭରେ ।
ସ୍ମୃତି ଘେରା ସ୍ମୃତି ଗାଲିଚାରୁ ମେଞ୍ଚେ ଧରି
ଧୀର ସମୀରଣ ବହିଯାଏ ପ୍ରୀତି ଭରି ,
ତୁମ ଅଙ୍ଗ ବାସ ଦେହେ ମୋର ବୋଳି ଦେଇ
ଅଲୋଡ଼ା ଜୀବନେ ଦରଦରୁ ଟିକେ ନେଇ ।
କୁହୁକ କଣିକା କର୍ଣ୍ଣ ଦେଇ ହୃଦେ ଗଲା
ହୃଦ ଟାଙ୍ଗରାରେ ବୁନ୍ଦେ ଜଳ ସିଞ୍ଚିଦେଲା ,
ସଞ୍ଚରିଲା ନବ ପ୍ରୀତି ପୁଷ୍ପ ହୃଦ ବନେ
ଶୁଣି ସ୍ମୃତି ଶବ୍ଦ ପ୍ରଣୟ କୁହୁକର ତାନେ ।
ସ୍ମୃତି କାନ୍ତି ଶୋଭ୍ୟ ଆଭାସ ନିର୍ଜନ ମଧ୍ୟେ
ବିଷାକ୍ତ ବିୟୋଗ ତାକୁ ଝୁରି ମନ କାନ୍ଦେ
ପ୍ରିୟତ୍ଵ ପରଶ ଘେନି ମୃଦୁ ବାୟୁ ଛନ୍ଦେ
ସ୍ମୃତି କଳିକାର କୁହୁକ ପରଶରୁ ଫର୍ଦ୍ଦେ ।
ଜୟ ଜଗନ୍ନାଥ…!
ସୁମିତ୍ରା ନାୟକ