କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ
କର୍ମ ପାଇଁ ନର ଆସଇ ସଂସାର
କରି ଚାଲେ ତା’ର ଜୀବନ ସାରା,
ପରିବାର ଗଢ଼େ ସମାଜରେ ବଢ଼େ
ତା’ବିନା କେ ଆଉ ଦେବ ଆଶରା!
ସବୁରି ନିମନ୍ତେ କର୍ମ କରି ସତେ
ସକଳ ଆଶାରେ ପାଏ ଆଲୋକ,
ଗଢ଼େ ଅନୁଷ୍ଠାନ କରେ ଶ୍ରମଦାନ
ଏକାଠି ଚଳନ୍ତି ଏଠି ଅନେକ,
ଆମ ଏ ସଂସାର ଏକ ପରିବାର
ସର୍ବ ଶେଷ ଅନୁଷ୍ଠାନଟି ପରା ,
କର୍ମ ପାଇଁ ନର ଆସଇ ସଂସାର
କରି ଚାଲେ ତା’ର ଜୀବନ ସାରା।
କ୍ଷୁଦ୍ର ଅନୁଷ୍ଠାନ ପରିବାର ଆମ
ପରିବାର ଜନ କରନ୍ତି କର୍ମ,
ସର୍ବ ବୃହତ୍ତମ ବିଶ୍ୱ ଅନୁଷ୍ଠାନ
ଏକତ୍ର ଚାଲଇ ସଂସାର ଧର୍ମ!
ଏକାଏକା ଭବେ ଚଳିପାରେ କେବେ
ସଂସାରେ ସହଜେ ମଣିଷ ସତେ,
ଏକ ଆରେକର କରଇ ନିର୍ଭର
ଅଭାବ ପୂରଣ କରେ ମିଳିତେ,
ଅନୁଷ୍ଠାନ ତା’ର ମିଳିତ କର୍ମର
ସଞ୍ଜାନ ସତ୍କର୍ମ ସାଧନେ ଭରା,
ପରିବାର ଗଢ଼େ ସମାଜରେ ବଢ଼େ
ତା’ବିନା କେଆଉ ଦେବ ଆଶରା!
ଅନୁଷ୍ଠାନ ଗଢ଼ି ଅନୁଭବେ ବଢ଼ି
ଚଳି ଚଳାଏ ସେ ବିଶାଳ ଧରା,
ମହାନତା ତା’ର ମହାନୁଭବର
ଏହିଠୁ ବିସ୍ତାରେ ସଂସାର ସାରା!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ