କାହାକୁ ଚିହ୍ନିବା କେମିତି
ଗାଈକୁ ଚିହ୍ନିବା ଦୁଧରୁ
ମଣିଷ ଚିହ୍ନଟ ହୃଦରୁ
ଫଳରୁ ଗଛକୁ ଚିହ୍ନିବା
ଗୀତିକାର ଗୀତେ ଜାଣିବା।
ଚନ୍ଦ୍ର ର ମଣ୍ଡଳେ ନକ୍ଷତ୍ର
ମେଘ ଆଗମନ ସୂଚିତ।
ଗାଁ ପରିମଳ ତୋଠରୁ
ବନ୍ଧୁ ସୌଜନ୍ୟ ଓଠରୁ।
ଘରର ଚିହ୍ନଟ ଏକତା
ଜାତୀୟତା ଭାବ ମିତ୍ରତା।
ଦେଶ ପ୍ରେମୀ ଭାବ ଉତ୍ସର୍ଗ
ସନ୍ୟାସୀ ର ଚିହ୍ନ ବୈରାଗ୍ୟ।
କ୍ଷେତର ଚିହ୍ନଟ ମାଟିରୁ
କଥାର ଚିହ୍ନଟ ପାଟିରୁ।
ଭୃତ୍ୟ ର ଚିହ୍ନଟ ବିଶ୍ବାସ
ମୃତ୍ୟୁ ଚିହ୍ନ ବନ୍ଦ ନିଃଶ୍ୱାସ।
ସମୟାନୁବର୍ତ୍ତୀ ଛାତ୍ର ର
ହିତ ଲୋକ ପ୍ରିୟ ପାତ୍ରର।
ଖାଦ୍ୟର ଚିହ୍ନଟ ସୁସ୍ଵାଦ
ଯୁଦ୍ଧ ଅବସାନ ବିବାଦ।
ନିଆରା ବନ୍ଧୁ ର ଚିହ୍ନଟ
ଫିଟାଏ ଦୁଃଖ ର କପାଟ।
ଗୋପନ କଥାକୁ ଅନ୍ତରେ
ପ୍ରଘଟ ନ କରେ ବାହାରେ।
ଶ୍ମଶାନେ ନିର୍ଜନ ନିଶୀଥ
ଶବ ବାହକ ସେ ପ୍ରସ୍ତୁତ
ସୁଖ ହେଉ ଦୁଃଖ କାଳରେ
ବନ୍ଧୁ ପାଶେ ସବୁ ବେଳାରେ।
ଚିହ୍ନଟ ଟି ହେଲେ ନିର୍ଭୁଲ
ନିର୍ଦ୍ଧାରଣ ହୁଏ ଅସଲ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ