*କଥାର ମୃତ୍ୟୁ*
ଜୀବନ ତ
ଆରମ୍ଭ ହୋଇଥିଲା
ମୋ ସଂକଳ୍ପର ଷଠିଘରରୁ
ମାଟିରୁ କାଠି ମସିଣା
ମାଆ ପଣତ ,ବାପାଙ୍କ ହାତର
ସାହାରା ନେଇଥିଲା
ଆମେ ,ତମେର ସମ୍ପର୍କରେ
ବାନ୍ଧି ହୋଇଥିଲା
କେଉଁ ଏକ ପରିଚୟ ନେଇ …ll
ହେତୁର ହିତଉପଦେଶରେ
ମୁଁ ଜାଣିଗଲି କେବେ
ମରିବାକୁ ହେବ
ଛାଡିବାକୁ ହେବ ସବୁ ସ୍ବପ୍ନର ରାତି
ପ୍ରେମର ମଧୁ ମାଳତୀ
ଭାଇ ,ବନ୍ଧୁ ,ଜାତି ଉପଜାତି ll
କିନ୍ତୁ ଏଠି ତ
ବଞ୍ଚିବାର ବାର ଯୋଜନ ପଥରେ
ବିଡମ୍ବନାର ଖଦଡା ଅଂଶ
ମିଛ ଆଶା ,ଭରସା ,ବିଶ୍ୱାସର
ବୁଢିଆଣୀ ଜାଲ
ବାରମ୍ବାର ମୋତେ ମାରେ
ମୋ କଥାର ଓଲଟା ଦିଗ ଦେଖି
ଖାଲି ମୁଁ ନୁହେଁ
ଏଠି ସମସ୍ତେ ସଂକଳ୍ପ କରନ୍ତି
ଓଠର ମିଛ ହସରେ
ଭ୍ରମର ପରଦା ପକାଇ
ଅନେକ କଥା କହନ୍ତି
ସ୍ୱାର୍ଥର ଏ ପୃଥିବୀରେ
ନିଜେ ନିଜସ୍ୱ ଗୋଲାମ ସାଜନ୍ତି
କେହି ବୁଝନ୍ତିନି ନିଜକୁ
ଯେ କଥାର ମୃତ୍ୟୁ ପରେ
ମୋର ମୃତ୍ୟୁ ……..ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*