କପଟ ମିତ୍ର
ସୀମାଞ୍ଚଳ ପଣ୍ଡା
କପଟେ ମଇତ୍ର ବଇରି ଚରିତ୍ର
ନିପାତ ନିମନ୍ତେ ଗୁପତ ପେଶା,
ଅନ୍ତରେ ନଥାଇ ହୁଅଇ ଦେଖାଇ
ମିଛ ଅଭିନୟ ବିଷ ପରଶା !
କପଟ ପଶାରେ ଶକୁନି ପେଶାରେ
କୌରବେ ଭୋଗନ୍ତି ମହା ଦୁର୍ଦ୍ଦଶା,
ଜୟଚନ୍ଦ୍ର ବରି ମହମ୍ମଦ ଘୋରୀ
ପୃଥ୍ୱୀରାଜ ଦିଏ ମାରକ ଦଶା ।
ଘୋରୀ ଠାରୁ ଜୟ ଭୋଗେ ପରାଜୟ
ଗୋରା କୁଟପଣେ ଭାରତ ଯେସା,
କପଟେ ମଇତ୍ର ବଇରି ଚରିତ୍ର
ନିପାତ ନିମନ୍ତେ ଗୁପତ ପେଶା ।
ବନ୍ଧୁତା ବାହାନା ମିଥ୍ୟା ପ୍ରବଞ୍ଚନା
ବଇରି ଦମନେ ଗୋପନ ମନ୍ତ୍ର,
ବିଶ୍ୱାସରେ ବିଷ ଦେଇ କରେ ନାଶ
ଶତ୍ରୁକୁ ସାଧଇ ପଶ୍ଚାତେ ମାତ୍ର।
କପଟିଆ ମିତ୍ର ହୀନ ଷଡ଼ଯନ୍ତ୍ର
ବିନାଶ ନିମନ୍ତେ ଦେଖାଏ ବାଟ,
ବିପଥରେ ନେଇ ବିପଦ ବଢ଼ାଇ
କରେ ହନ୍ତସନ୍ତ ମାରଇ ଛାଟ ।
କପଟରେ ମିତ୍ର କଉଶଳ ମାତ୍ର
ମୁଖେ ବନ୍ଧୁପଣ ଦୁଃଖ ବେଉଷା,
ଅନ୍ତରେ ନଥାଇ ହୁଅଇ ଦେଖାଇ
ମିଛ ଅଭିନୟ ବିଷ ପରଶା।
ମଣିଷ ମଣିଷ ଈର୍ଷା ଦ୍ଵେଷ ଦୋଷ
ବଢ଼େ ଦିନୁ ଦିନ ନାହିଁ ବିଶ୍ୱାସ,
କପଟରେ ମିତ୍ର ଧୀର ଗତି ମାତ୍ର
ବିଷ ଦାନେ ରୁଦ୍ଧ କରେ ନିଃଶ୍ୱାସ !
ଶିକ୍ଷକ,
ଡେଙ୍ଗାଡି,
ଗଞ୍ଜାମ