*କଳ୍ପନା ଫେରେ*
ବିନୟ କୁମାର ମହାନ୍ତି
କଳ୍ପନା ଓହ୍ଲାଏ
କବିତାର ରଙ୍ଗୀନ ରଙ୍ଗ ମଞ୍ଚରୁ
ସତ ସତିକା ଅନ୍ଧାରକୁ,
ଯେଉଁଠି ଛାଟି ପିଟି ହେଉଥାଏ
ଆହତ ଅସ୍ତିତ୍ବ
ଗୋଟିଏ ଆଜୀବନ କଏଦୀର
ମୁକ୍ତିର ନିରର୍ଥ ସ୍ବପ୍ନ ପରି।
ଶବ୍ଦ ମାନଙ୍କର
ସୁସଜ୍ଜିତ ଡେଣାରେ ବସି
ଆମେ ବୁଲିଛେ
କେତେ କେତେ ଅଗ୍ନାଗ୍ନି ଅରଣ୍ୟ
କେତେ ନୀଳନକ୍ଷତ୍ରର ସନ୍ଧାନରେ
ଯୋଖିଛେ ଶର।
କେତେ ଲୁହ ନଈର ସଂଳାପ କହିଛେ
କେତେ ପୁଲକିତ ଫୁଲବନର
ମନ୍ଦ ମଧୁର ହସ
କେତେ ବିରହ,କେତେ ମଧୁର ପ୍ରେମ
କେତେ ଉଦବେଗ ଉତ୍କଣ୍ଠାର
ନିଖୁଣ ଅଭିନୟ ଆମେ କରିଛେ!
ଦୌଡ଼ି ପଳାଉଥିବା ଥିବା
ତସ୍କର ପଛରେ ଆହତ ହେବା
ନିରଞ୍ଜନା ତଟରେ ନିର୍ବାଣ
ଖୋଜିବାର ନାଟକର କଥାବସ୍ତୂକୁ
ନେଇ ଏମିତି ଏମିତି
କବିତା ସରିଯାଏ ,
କଳ୍ପନା ବୁଢା ହୋଇଯାଏ।
ଶ୍ୟାମଳ ଦୁର୍ବାଦଳ
ଆଉ ଦିଶେ ନାହିଁ,
ଲାଗେ କବିତାଠୁ ଜୀବନ
ଯେମିତି ଯୋଜନ ଯୋଜନ ଦୂର।
ଏଠି କିନ୍ତୁ ସତସତିକା ରକ୍ତ ଲୁହ,
ସତ ବର୍ଷାରେ ଭିଜେ ଦେହମନ
ନିଷ୍ଠୁର ନିଦାଘ ଭାଙ୍ଗେ ହୃଦୟ
ଝାଳ ଗନ୍ଧରେ ବିତେ ଦିନ।
ଭୋକ ଶୋଷ ରୋଗ ବ୍ୟାଧି
ସବୁ ସତ,ସବୁ ପ୍ରେମ
ଜଳେ ଓ ଜଳାଏ
ସତରେ, ସବୁ ନିଆଁ
ଜାଳି ପୋଡ଼ି ପାରେ
ଅୟୁତ ଆୟୋଜନ।
କାହାର କଟୁ କଥା
ବେଶୀ ବାଧେ ମନକୁ
କିଛି ଘା କେବେ ଶୁଖେ ନାହିଁ
କିଛି ଅନ୍ଧାରି ଇଲାକାରେ
ମୋଟେ ଆଲୁଅ ପଡେ ନାହିଁ।
କିଛି ଯୁଦ୍ଧ ଜମା ଶେଷ ହୁଏ ନାହିଁ
କିଛି ନିଦ ଭାଙ୍ଗେ ନାହିଁ
କିଛି ଅଙ୍କ ଛିଣ୍ଡେ ନାହିଁ
କିଛି ସୁନ୍ଦର ଗଛରେ
ଫୁଲ ଫଳ ନ ଧରିବାର
ଦୁଃଖରେ ଝାଉଁଳି ପଡେ ଡାଳପତ୍ର।
କେତେ ଦୂର କବିତା ଠାରୁ ଜୀବନ
ସେ କବିତା ଭିତରେ ଥାଏ
ନା ତା ଭିତରେ ଥାଏ କବିତା
ନା କବିତା ଜୀବନର କଥା କହେ?
ବାରମ୍ବାର କାହିଁକି କଳ୍ପନାକୁ
ଓହ୍ଲାଇବାକୁ ପଡେ କବିତାର
ମଞ୍ଚରୁ, କାହିଁକି ସତ ଲୁହର
ନଈକୁ ଲମ୍ପ ଦିଏ ପ୍ରେମ,
ଅଛିଣ୍ଡା ଅନ୍ଧାରକୁ
ଫେରୁଥାଏ ଜୀବନ!
————————————
ବିଭାଗୀୟ ମୁଖ୍ୟ, ପ୍ରାଣୀବିଜ୍ଞାନ
ମଧୁପୁର କଲେଜ,କଲଣ
ଯାଜପୁର
ମୋ-୯୪୩୮୧୪୦୯୯୯
———————————-——