ଯେସାକୁ ତେସା
କେତେ ଆପ୍ତ ବାକ୍ୟ ରହିଅଛି ଦେଖ
କେଉଁ ଅନାଦି କାଳରୁ
ସ୍ଥାନ କାଳପାତ୍ରେ କହନ୍ତି ସମସ୍ତେ
ବାହାରି ଆସେ ମୁଖରୁ।
ସଂସ୍କାରକ ଗଣ କରନ୍ତି ପ୍ରଦାନ
ସମାଜ ସଂସ୍କାର ପାଇଁ
ବୁଝି ତା ମର୍ମକୁ ମନେରଖି ତାକୁ
ଜୀବନ ଗଢ଼ରେ ତୁହି।
ପ୍ରତ୍ୟେକ କ୍ଷେତ୍ରରେ ବଢ଼ିବ ଆଗରେ
ଏଥିରେ ସନ୍ଦେହ ନାହିଁ
ଉପଯୋଗ ତା’ର ହୋଇଲେ ଅସାର
ଫଳ ଓଲଟା ହୁଅଇ।
ଏ “ଯେସାକୁ ତେସା’ ସେହି ପରି ଭାଷା
ମରମ ବୁଝି ଏହାର
ରହି ଧିର ସ୍ଥିର ପ୍ରୟୋଗକୁ କର
ନିଜ ଜୀବନେ ତୋହର।
କଣ୍ଟାକୁ କଣ୍ଟେରେ କାଢ଼ିବୁ ବାବୁରେ
ହାତେ ବାହାରିବ ନାହିଁ
ଲୁହାଟି ଲୁହାକୁ ସଜାଡ଼ଇ ତାକୁ
ଆନେ ସଜାଡ଼ି ନୁହଇ।
କ୍ଷୀର ସାଥେ ନୀର ହୁଏ ଏକାକାର
ସମ୍ପର୍କ ବୁଝାଏ ରହି
ପାହାଡ଼ ସଦୃଶ୍ୟ ତୁଳାହୋଇ ଦୃଶ୍ୟ
ପଥରକୁ ସରି ନାହିଁ।
ବହୁ ଆଡ଼ମ୍ବର ଦେଖିବୁ ଯାହାର
କାର୍ଯ୍ୟରେ ବିଫଳ ସେହି
ଯେଉଁଠାରେ ଯାହା ଆବଶ୍ୟକ ତାହା
ସଅଳ କରିବୁ ତୁହି।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ