ଯୋଗୀଟିଏ….

ଉଦ୍ଧତ ଜହ୍ନର ବଗିଚାରୁ
ତୋଳି ଆଣି ଗଣ୍ଠେଇ ଦେଇଛି
ତ ନୀଳରଙ୍ଗର ପଣତରେ
ତାରା ରଙ୍ଗର ଫୁଲ ଯେତେ,
ନେ ! ସଜେଇ ଦେ ତ ଗଭା
ଏ ଜାମୁରଙ୍ଗର ରାତିଟା ସରୁ ସରୁ,
ମୋ ଖିଆଲ ପଣରେ ଫୁଟିିଥିବା
ମାତାଲ ଶେଫାଳିତକ ଝରିଯିବା ଆଗରୁ …।।

ମୁଁ କବିଟିଏ ନୁହଁ ,ଯେ ଚିରକାଳ ପ୍ରେମିକ ହୋଇ ରହିବି
ଆକାଶର ଫୁଲକୁ ତ ଗାଡ଼ିଆରେ ପଦ୍ମ କରି ଫୁଟାଇବି
ରାତି ପରି ମୋର ବି ଆୟୁଷ ଖୁବ୍ ଲମ୍ବା ଅଥଚ ଦୁର୍ବଳ
ତ ହସମୟ ଓଠ ତଳ କଳାଜାଇ ହିଁ ଯଥେଷ୍ଟ
ଶୋଷିନେବାକୁ ମୋର ତମାମ ଯୋଗୀ ଜୀବନର ବେଳ ।।

ରାତିଟିଏ ପରେ ତୁ ପାଲଟି ଯିବୁ ଈଶ୍ଵରୀ
ମୁଁ ପୂଜିବି ଚଣ୍ଡୀପୁରାଣର ମନ୍ତ୍ରଟିଏ ସୁମରୀ
ଦେବୀପଣରେ ତୁ ଦିଶୁଥିବୁ ଆହୁରି ସୁନ୍ଦରୀ
ବ୍ରହ୍ମଦେବଙ୍କ ସର୍ଜନାରେ ଶ୍ରେଷ୍ଠତମ ମୃଣ୍ମୟୀ ମୂର୍ତ୍ତି ପରି
ତୁ କହତ ତ , କେମିତି ଏଡି ଯାଇଥାନ୍ତି ଏ ରାତିକୁ
ଯୋଗୀ ଜୀବନର ଶେଷ ରାତି ଜାଣି
କେମିତି ଫେରି ଯାଇଥାନ୍ତି ଦେବଦାସ ପରି
ଅରଜି ଥିବା ତପସ୍ୟାର ଫଳକୁ ବେଖାତିର କରି ।।

ଏତେ ସହଜ ନୁହେଁ ନିରୁତା ପ୍ରେମକରିବା ,
ପ୍ରେମରେ ଯୋଗୀଟିଏ ହେବା ।
ରାତି ସରିବ , କମଳା ରଙ୍ଗର ସକାଳ ହେବ
ଧୀରେ ଧୀରେ ଅପସରି ଯିବ ମୋ ଦେହରୁ
କଳା ରଙ୍ଗର ପ୍ରେମିକପଣ ସାଙ୍ଗରେ ଯୋଡ଼େ ଗେରୁଆ ଲୁଗା ।।

ଆ ଓହ୍ଲାଇ ଆ… ତୁ ତୁଳୀତଳ୍ପରୁ
ଡେଇଁପଡ଼ କଳା ରଙ୍ଗର ଅନ୍ଧାରୀସମୁଦ୍ରରେ
ଅକାତ ଅନ୍ଧାରରେ କାତ ମାରି ତତେ ଦେଖେଇବି
ତ୍ରିଭୂବନ,ଅଷ୍ଟମ ଆଶ୍ଚର୍ଯ୍ୟ,କିଛି ସତ ଆଉ କିଛି ମିଛ
ତା’ ପରେ ତୁ ପରୀକ୍ଷା କରିବୁ ପ୍ରାଣୀବିଜ୍ଞାନ ଛାତ୍ରୀ ପରି
ମୋ ଜିଅନ୍ତା ଶରୀରକୁ ତନ୍ନ ତନ୍ନ ଚିରି
କେମିତି ଯୋଗୀ ପରି ପ୍ରେମ କରିବାକୁ ହୁଏ
କେମିତି ଅପ୍ସରୀ ପରି ଠକିବାକୁ ହୁଏ
କେମିତି ଯୋଗିନୀ ପରି ତଣ୍ଟି ଚିପିବାକୁ ହୁଏ ।।

ଦେ କଥା ଦେ ସବୁ ଜନ୍ମରେ ତୁ ଏଇମିତି ଆସିବୁ
ନୀଳରଙ୍ଗର ବିଷ ଗିନେ ପିଆଇ ଯୋଗୀଟିଏ ସଜାଇବୁ ।।

ରାଜେନ୍ଦ୍ର ଗିରି
ବାରବାଟିଆ, ଭୋଗରାଇ,ବାଲେଶ୍ୱର
7008451494

Leave a Reply

Your email address will not be published. Required fields are marked *