ଜୀବନ
*********
ଜୀବନ ସତରେ କ’ଣ ଖୋଲା ବହିଟିଏ ?
କେଜାଣି ହେଇଥିବ !!
ମୋର କିନ୍ତୁ ବିଶ୍ବାସ ହୁଏନା ।
ଚକମକ୍ ରଙ୍ଗୀନ୍ ମଲାଟ ତଳେ
କେତେ ଯେ ଅବୁଝା ପୃଷ୍ଠା
କେତେ ଯେ କାହାଣୀ କେତେ ହସ ଆଉ କେତେ ଲୁହ ରଙ୍ଗିନ ମଲାଟର ପଛେ ଲୁଚିଯାଏ
ଜୀବନର ଖୋଲା ବହି ବନ୍ଦ ପଡିଯାଏ ।
ଏମିତି ରାସ୍ତା କଡ ଷ୍ଟଲ୍ ରେ ଝୁଲୁଥାଏ,
ଧୁ ଧୁ ବୈଶାଖୀ ଖରାରେ ମଲାଟର ରଙ୍ଗ ବି ଫିକା ପଡିଯାଏ ,
ହେଲେ ଗୋଟି ଗୋଟି ଅନ୍ତରର କଥା
ସେଇମିତି ଜୁଳୁଜୁଳୁ ଚାହିଁ ରହେ।
କେହିତ ଆସିବ ଦିନେ
ଯତନରେ ସାଉଁଟି ନେବ ,
ଆଉ ପଢିଯିବ ପୃଷ୍ଠା ଦର ପୃଷ୍ଠା ।
ପଢୁ ପଢୁ କେବେ ହସି ଦବ
କେବେ ରୋମାଞ୍ଚିତ ହୋଇଯିବ
କେତୋଟି ମୁହୁର୍ତ୍ତ ପାଇଁ
ଜକେଇ ଆସିବ ଆଖି
ଅନୁଭବୀ ଜୀବନର ବ୍ୟଥା ।
ହେଲେ କେହି ତ ଆସେନି
କେବେ ବା କେମିତି କିଏ
ବହିଟିକୁ ହାତକୁ ନିଏ
ମଲାଟରୁ ଧୂଳି ଝାଡେ
ଛବିଟିକୁ ଦେଖେ
ଛବିର ତାରିଫ୍ କରେ ..
ହେଲେ ପୃଷ୍ଠାଟିଏ ଲେଉଟାଏ ନାହିଁ
ଜୀବନ ଏଇମିତି ଅଲୋଡା ବହିଟିଏ ସତେ ..!!?
ସମସ୍ତେ ଖାଲି ମଲାଟ ଦେଖନ୍ତି
ରଙ୍ଗିନ୍ ଚିତ୍ରରୁ ଅନୁମାନ ଲଗାନ୍ତି ।
ବହିଟିର , କାହାଣୀର,ଜୀବନର ,ସୁଖର , ଦୁଃଖର, ଚିତ୍ର ଆଉ ଚରିତ୍ରର
ଆଲୋଚନା ସମାଲୋଚନା କରନ୍ତି ।
ହେଲେ ଅନୁମାନ କ’ଣ କେବେ ସତ ହୋଇଥାଏ …?
ଜୀବନର ଖୋଲା ବହି ସବୁଦିନ
ଏଇମିତି ବନ୍ଦ ପଡିଥାଏ …।
କଳ୍ପନା ମିଶ୍ର