ଜୀବନ ଖରାଛାଇ ଖେଳ
ଦୁଇଦିନିଆଁ ଏ ମଣିଷ ଜୀବନ
ମିଛମାୟା ଭରା ଯେତେକ ସପନ
ଧନଜନ ଯଶ କିଛିଦିନ ଲାଗି
ମରଣ ବସିଛି ବାଟକୁ ତ ଜଗି ।।
ମାନ ଅପମାନ କ୍ଷଣସ୍ଥାୟୀ ଭାଇ
ତୁମ ଦୁଃଖ ଲାଗି ତୁମେ ଏକା ଦାୟୀ
ଅନ୍ୟାୟ ଅନୀତି କରୁଥାଅ ନିତି
ଈଶ୍ୱରଙ୍କ ପ୍ରତି ନାହିଁ ତୁମ ଭୀତି ।।
ଆଜି ଅଛି ଜୀବ କାଲି ନ ରହିବ
ମରିଗଲା ପରେ କିଏ ବା ଜାଣିବ
ଜୀବନରେ କେତେ ସୁକର୍ମ କରିଛ
କେଉଁ ଦୁଃଖୀଙ୍କର ଦୁଃଖକୁ ହରିଛ ।।
ଆପଣା ସ୍ୱାର୍ଥରେ ବିତାଇଲ ଦିନ
ଚିର କଳଙ୍କିତ ତୁମର ଏ ମନ
ଅଧର୍ମ ପଥକୁ ବାଛିନେଲ କିଆଁ
ଭ୍ରଷ୍ଟାଚାରୀ ସାଜି ବୁଲାଉଛ ଭୁଆଁ ।।
ମିଠାକଥା କହି ମନକୁ ଯେ ହରି
ପଛରୁ ମାରୁଛ ତୁମେ ବନ୍ଧୁ ଛୁରୀ
ପାପର ପଙ୍କରେ ଡୁବି ଦିନେ ଯିବ
ଗର୍ବ କରିବାକୁ ପ୍ରାଣ ଆଉ ଥିବ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ,ଯାଜପୁର