**ଝୁଲା**
ଝୁଲା ମଧ୍ୟେ ରଖି ବାଳ ଶ୍ରୀ କୃଷ୍ଣ ଙ୍କୁ
ଯଶୋମତୀ ମାତା ଥିଲେ ଝୁଲାଇ
କୁଞ୍ଜ ବନେ ରାଧାକୃଷ୍ଣ ଙ୍କର ଝୁଲା
ଗୋପୀ ଚିତ୍ତ ନେଉଥିଲା ଚୋରାଇ।।
ପୁରା କାଳେ ଶିଷ୍ୟ ଗୁରୁଙ୍କ ଆଜ୍ଞା ରେ
ଦ୍ଵାର ଦ୍ଵାର ମାଗି ଭରଇ ଝୁଲା
ନମ୍ର ବିନୟ ଭାବ ଉଦେ ହୁଏ
ମନୁ ଅହଂ ଭାବ ଦୂରଉ ଥିଲା।।
ପଲ୍ଲୀ ଠୁ ସହର ଧନୀ ଠୁ ଗରିବ
ଘର ଠୁ ଦପ୍ତର ପ୍ରିୟ ସବୁରି
କେତେ ଦୁଃଖ ସୁଖ ମୂକ ସାକ୍ଷୀ ଝୁଲା
ନାନା ରୂପ ରଙ୍ଗ ଶରୀରେ ଭରି।।
ଶାମୁକା କଉଡ଼ି କପଡ଼ା ଚୁମୁକି
ଜରି ସୂତା ଭରା ତା କଳେବର
ସଭିଙ୍କୁ ସୁହାଏ ଦର ଦାମ ତାର
ପିଲାଠାରୁ ବୁଢ଼ା କରେ ଆଦର।।
ଝୁଲା ସଦୃଶ ଏ ଜୀଵନ ଟା ଝୁଲେ
ସ୍ମୃତି ବିସ୍ମୃତି କୁ ସାଥିରେ ଧରି
ପ୍ରେମିକ ପ୍ରେମିକା ଭାବ ଦିଆନିଆ_
ବାର୍ତ୍ତା ଝୁଲା ମଧ୍ୟେ ରହିଛି ଭରି।।
(ସନ୍ଧ୍ୟାରାଣୀ ହୋତା)
ଶିକ୍ଷୟିତ୍ରୀ, ଡାବୁଗାଁ, ନବରଙ୍ଗପୁର
Sandhyarani Hota
451 total views, 1 views today