*ଝୁଲା*
ଗତାନୁଗତିକ ଜୀବନଧାରାର
ଏକ ସାଙ୍କେତିକ ଅଙ୍ଗ,
ଯାହାକୁ ଆୟୁଧ କରି
ନିଜ ସ୍ବପ୍ନର ପୃଥିବୀକୁ ସାଉଁଟି ହୁଏ,
ତମାମ ଜୀବନ ଜଞ୍ଜାଳର ଜମାପୁଞ୍ଜି
ଅହର୍ନିଶି ଝୁଲୁଥାଏ
ଦୁଃଖ-ସୁଖ ଲୁହ-କୋହକୁ
କାନ୍ଧରେ ଲାଉତୁମ୍ବା କରି…..।
ଚପଳ ବୟସର ବୋଝ
କାନ୍ଧରୁ ଅଧ୍ୟୟନକୁ,
ଉଦ୍ଦାମ ବୟସର ଭାର
ବୋହିବାର ସଳଖ ଚାଟୁତା ଭିତରେ
ଝୁଣ୍ଟୁଥାଏ ପୁଣି ସଳଖୁଥାଏ
ଅସହଜକୁ ସହଜ କରିବାରେ ;
ଖାଲଢିପ ରାସ୍ତାରେ ଚାଲୁଚାଲୁ
କେତେବେଳେ ଯେ ଅଣ୍ଟା ସଳଖିଯାଏ
ବାର୍ଦ୍ଧକ୍ୟ ଯାତନା ଯନ୍ତ୍ରଣା ସବୁ ଆପଣାର ଲାଗେ ,
କାନ୍ଧରେ ଝୁଲୁଥିବା ଝୁଲାଟା
ତାର ମୂକସାକ୍ଷୀ ହୋଇଯାଏ…..।
ଅସଜଡା ନଥିପତ୍ରର ଦସ୍ତାବିଜଟା
ବାହାରକୁ କିନ୍ତୁ ଖୁବ୍ ଚହଟ ଚିକ୍କଣ,
ଉପରକୁ ହସୁଥାଏ, ଦହନରେ ଜଳୁଥାଏ
ଭିତରେ ଭିତରେ ଖୁବ୍ କୁହୁଳୁଥାଏ ;
ଦୁନିଆ ପର ହୋଇଯାଏ
ସେ କିନ୍ତୁ ଦେହକୁ ଜାକିହୋଇ
ଶରୀରର ଉଷ୍ମତା ମାପୁମାପୁ
ଦେହ ଦରଜର ବୋହିଲା ଲୁଣିଆ ରକ୍ତକୁ
ଖୁବ୍ ଖୁସିରେ ପିଉଥାଏ….।
ଝୁଲାମଣିଷର ଝୁଲାଟିଏ –,
ଦୈନନ୍ଦିନ ଶାଖ ପଖାଳରୁ ଆରମ୍ଭ କରି
କେବେ କେଉଁ ଧୁ ଧୁ ଖରାରେ
ପଥଚାରୀର ପଥ ଲାଘବ ତକିଆ ପାରେ ତ
କେବେ ସଂଜ୍ଞା ନଥିବା ବିକୃତ ମାନସିକ ରୋଗୀର
ଗହଳେ ସ୍ବପ୍ନର ବହଳେ ନିଦ….।
ସତରେ ଝୁଲା !
ସ୍ମୃତି ବିସ୍ମୃତିର ଚିତ୍ର ପଟରେ
ନିଆରା ତୋ ଛବି,
ତୁ ସିନା କାନ୍ଧରେ ଓହଳି
ଦେହକୁ ଆଉଜି ଥାଉ,
ଶେଷରେ କାନ୍ଧୁଆ ସାଥେ
ତୁ ବି ଜୁଇକୁ ସାଥୀହୋଇ ଯାଇଥାଉ ;
ଏତେ ଆତ୍ମୀୟତା କୃତଜ୍ଞ ପଣରେ
ବିଶ୍ବସ୍ତ ଝୁଲାଟେ
ତୋ ପରି କିଏ ଅଛି ଯେ……. ????
ଶ୍ରୀକାନ୍ତ ପଣ୍ଡା, ବସନ୍ତିଆ, ଭଦ୍ରକ।