ଝରକା ଏପାଖ ଓ ସେପାଖ
ଝରକା ଏ ପାଖରେ
ବିଶ୍ୱାସ ର ପୂର୍ଣ୍ଣ କୁମ୍ଭ ଟିଏ
ଆଶା ଆଶ୍ୱାସନାର ସଂକଳ୍ପ,ଇଚ୍ଛାନେଇ
ଭର୍ତ୍ତି ହୋଇଥାଏ
ବିରାଟ ଶୋଷର ତୃପ୍ତି ନିମନ୍ତେ
କିନ୍ତୁ ସେ ପାଖରେ
ମିଛ ଛଳନାର ଜଳ ନେଇ
ବହୁଥାଏ ଅବିଶ୍ୱାସୀ ନଈ ଟିଏ …
ଝରକା ଏ ପାଖରେ
ନୟନରୁ ନିର୍ଗତ ଥପ ଥପ ଅଶ୍ରୁଧାରା
ଗାଲକୁ ଛୁଇଁ ,ମାଟିକୁ ଛୁଏଁ
ସ୍ମୃତିର ଗାଲିଚାରେ
ମଉଳା ମନର ପ୍ରଜାପତି ହେଇ
ଚାହିଁ ବସିଥାଏ ….
କିନ୍ତୁ ସେ ପାଖର
ନୟନ ନିଆଁ ପୋଡିଦିଏ
ଏ ପାଖର ପ୍ରେମର ପ୍ରାଣ
ପ୍ରତାରଣାର ପାଉଣା ଦେଇ ….ll
ଝରକା ଏ ପାଖରେ
ଅବହେଳିତ ହୃଦୟ
ଏକା ଥରକେ
ଶ୍ରାବଣର ଶ୍ରାବଣୀ ଧାରା ,
ଫଗୁଣ ର ଫଗୁ ନେଇ ବସନ୍ତ ମଳୟ ଯାଏ
ପୂର୍ଣ୍ଣଛେଦ ପରେ ସମାଧାନ ପାଇଁ
ପ୍ରେମର ପୃଥିବୀ ଯାଏ
ଅପେକ୍ଷା କରିଥାଏ …
କିନ୍ତୁ ସେ ପାଖରେ
ଗ୍ରୀଷ୍ମର ଉତ୍ତପ୍ତ ମରୀଚିକା
ପ୍ରଶ୍ନ ର ପ୍ରଳୟ ନେଇ
ପ୍ରଳାପ କରାଏ
ଏ ପାଖର ଦୃଶ୍ୟକୁ …..ll
*ନବ କୁମାର ଦାସ*
*ବାଲିଆପାଳ ,ବାଲେଶ୍ୱର*
🔴🔴🔴🔴🔴🔴🔴🔴🔴