*ଜୀବନ*
ଜୀବନ କେବେ
ଡ଼ହ ଡହ ଫୁଟା ବାଲିରେ
ସନ୍ତୁଳିତ ନିରବତା
ବାଲିଝଡରେ କ୍ଷତବିକ୍ଷତ
ଶୁଷ୍କ ନିରଳସ
ସଂଗହୀନ ନୀରବ
ନିଶ୍ଚଳ ବ୍ୟାକୁଳତା।
କେବେ ଶ୍ରାବଣର ରିମ୍ ଝିମ୍
ବର୍ଷାର ମେଘ ମହ୍ଲାର
ସବୁଜିମାରେ ଆଚ୍ଛାଦିତ
ଲାଲ୍ ଟୁକୁ ଟୁକୁ ସାଧବ ବୋହୂର
ମନ୍ଦମନ୍ଥର ଗତି
ଚପଳାର ଚମକିତ ଶିଖା
ଥୁରୁ ଥୁରୁ ଶୀତର କମ୍ପନ
ଚାନ୍ଦିନୀ ର ଚଉପଦୀ
କାଶଫୁଲର ହସର ଫୁଆର
ଆବାହନ ମନ୍ତ୍ର।
ଜୀବନ କେବେ ପୁଣି
ନାନା ବର୍ଣ୍ଣରେ ବର୍ଣ୍ଣିତ
ସୁରଭିରେ ମହକିତ
ଫଗୁଣର ଫଗୁରେ
ରଙ୍ଗୀନ ବସନ୍ତ।
ଜୀବନ କେବେ ପୁଣି
ନିରାଶାରେ ବ୍ୟସ୍ତବିବ୍ରତ
ପ୍ରାଣ ପ୍ରପୀଡିତ
କେବେ ଆଶାର ଉତୁଙ୍ଗ ହିମାଳୟ
ସଫଳତାର କଷଟି
ପଥରରେ ପରୀକ୍ଷିତ
କେବେ ସତ୍ୟ ସୁନ୍ଦର
ପ୍ରକୃତି ନିରାଜନାରେ
ସ୍ଥିତପ୍ରଜ୍ଞ ଦୃଢ଼
ଅଚଳ ମହାମେରୁ
ଗମ୍ଭୀର ଭାବାବେଗର
ଧୀରସ୍ଥିର ଅନନ୍ୟ
ପ୍ରତିଭାର ପ୍ରୟାସ
ଜୀବନ ସର୍ବ ସ୍ୱାଦଯୁକ୍ତ
ଏକ ଅନୁଭବ ଅନୁଭୂତିର ସମାହାର।
ଭୁବନେଶ୍ୱର।