ଜୀବନ
ଜୀବନ ଟା ନୁହେଁ ଟୁକୁରା କାଗଜ
ଅଶେଷ ପୃଷ୍ଠାର ଲିପି
ଜୀବନଟା ନୁହେଁ କ୍ଷଣିକ ସପନ
ମୁଦ୍ରିତ ଭରା ଆଖି।
ଜୀବନଟା ନୁହେଁ ଅୟସର କ୍ଷେତ୍ର
ଖାମଖିଆଲିଆ ଢଙ୍ଗ
ଜୀବନଟା ନୁହେଁ ଚିର ଯୌବନ
ଭରା ଲାଳିତ୍ୟର ରଙ୍ଗ।
ଜୀବନଟା ନୁହେଁ ଖେଳଣା କଣ୍ଢେଇ
କାହା ହାତେ କ୍ରୀଡନକ
ନିଜ ସ୍ଵାଧୀନତା ଜାହିର୍ ପଣିଆ
ଅଭିବ୍ୟକ୍ତି ଅଭିଲେଖ।
ଜୀବନଟା ନୁହେଁ ଆବଦ୍ଧ ନିଶ୍ଚଳ
ଖୋଲା ପୃଷ୍ଠା ଏକ ବହି
ଅଲିଭା ଅକ୍ଷରେ କେତେ ଯେ
କାହାଣୀ ଥାଏ ସଂରଚିତ ହୋଇ।
ଜୀବନ ଟା ନୁହେଁ ଗହଳ ବନର
ବହଳ ଛାଇର କଥା
ସକାଳୁ ସଞ୍ଜରେ ଦିନ ଲିପି ଲେଖା
କର୍ମ ଭରା ଲେଖା ଖାତା।
ଜୀବନଟା ନୁହେଁ ଭାଙ୍ଗି ପଡିବାର
ଦୃଢ଼ତା ଦଣ୍ଡାୟ ମାନ
ଆସନ୍ତା କାଲି ର ଗିରି ଶିଖେ ଲୟ
ମନେ ଭରି ସ୍ଵାଭିମାନ।
ଜୀବନଟା ନୁହେଁ କେବଳ ଅନ୍ଧାର
କେବଳ ଆଲୁଅ ରେଖା
ଚକା ଭଉଁରୀ ର ସମୟ ସୁଅରେ
କେବେ ସୁଖ ଦୁଃଖ ଦେଖା।
ଜୀବନ ଜୀଇଁବା ନୁହେଁ କଷ୍ଟକର
ସେହି ସେ ମଣିଷ ପାଇଁ
ଯିଏ ପଡ଼ିଅଛି ଜୀବନ ଦର୍ଶନ
ବଞ୍ଚିବାର କଳା ନେଇ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ