ଯିବା ମୋ’ ଉତ୍କଳ ଖାଇବା ପଖାଳ
ମା’ମାଟି ଓଡ଼ିଶା ତା’ପଖାଳ କଂସା
ଆଜି ବିଶ୍ୱରେ ପ୍ରସିଦ୍ଧ,
ଯିବା ମୋ’ ଉତ୍କଳ ଖାଇବା ପଖାଳ
ମନୋବାଞ୍ଛା ହେବ ସିଦ୍ଧ।।
ସମଗ୍ର ମହୀରେ କୋଡ଼ିଏ ମାର୍ଚ୍ଚ ରେ
ପାଳେ ପଖାଳ ଦିବସ,
ଦେଶ ବିଦେଶରେ ପଞ୍ଚ ତାରକାରେ
ପଖାଳ ଆଣିଛି ହସ ।।
ଆସ ମୋର ପ୍ରିୟ ଶୀଘ୍ର ଆସି ଯାଅ
ପଖାଳ ହେଲାଣି ବାସି,
ରାନ୍ଧିଛି ପଖାଳ ବଡ଼ି ଚୁରା ଶାଗ
ସଜ ଦହି ଅଛି ବସି ।।
ବାଇଗଣ ପୋଡ଼ା ଲଙ୍କା ଆମ୍ବସଡା
ଛତୁ କାଙ୍କଡ଼ର ଭଜା,
ଛୁଇଁ ବେସରକୁ ପୋଟଳର କସା
ରଖିଛି କଦଳୀ ଭଜା ।।
ଜିରା ବୃସଙ୍ଗରେ ଛୁଙ୍କ ଦେଇ କରି
ରଖିଛି କାଞ୍ଜି ତୋରାଣି,
ପଖାଳ ଅଟଇ ଦେହ ହିତକାରୀ
ଯାଅ ତା’ ମହିମା ଶୁଣି ।।
ଚୁନା ମାଛ ଭଜା କଦଳୀର ମଞ୍ଜା
ସଜନା ଶାଗ ପିଆଜ,
ସ୍ନେହ ପ୍ରେମ ଢ଼ାଳି ରାନ୍ଧିଛି ସମ୍ଭାଳି
ଏକାଠି ଖାଇବା ଆଜ।।
କୃଷ୍ଣଚୂଡ଼ା ନାଲି ଓଢ଼ଣୀର ତଳେ
ଦିଶଇ ତୁମ ଚାହାଁଣୀ,
ମୋ’ ହାତ ପଖାଳ ଆହାଃ କି ସ୍ୱାଦିଷ୍ଟ
ହେଉଥିବ ମନେ ଗୁଣି।।
ଜଗା ଭଲପାଏ ଘିଅ ପଖାଳ ଯେ’
ଲକ୍ଷ୍ମୀଙ୍କ ହାତ ରାନ୍ଧଣା,
ଆସେ ଖରା ବେଳ ଚିନ୍ତୁ ଥାନ୍ତି ବଳ’
ଟଙ୍କ ତୋରାଣୀକୁ ଅନା ।।
ତପ୍ତ ନିଦାଘରେ କ୍ଳାନ୍ତି ଦୂର କରେ
ହୁଏ ନାହିଁ ଅଂଶୁଘାତ,
ହୁଏ ତୋଷ ଚିତ୍ତ ଖାଦ୍ୟ ସନ୍ତୁଳିତ
କରେ ମନ ପ୍ରଫୁଲ୍ଲିତ।।
ମୁଠାଏ ପଖାଳ କରଇ ସବଳ
ଏହି ଆମ ଅଭିମାନ,
ବିଶ୍ୱେ ଉତ୍କଳୀୟ ଦିଏ ପରିଚୟ
ଆମ ସଂସ୍କୃତି ମହାନ ।।
ପଖାଳ ତୋରାଣୀ ସେ’ ଟଙ୍କ ତୋରାଣୀ
ଭାବ ଯମୁନାର ପାଣି,
ସଜ ପଖାଳର ମହ ମହ ବାସ୍ନା
ଆଣେ ପ୍ରୀତିର ଉଜାଣି।।
ଓଡ଼ିଆ ଜାତିର ଗର୍ବ ଗଉରବ
ଆମ ଜାତୀୟ ପ୍ରତୀକ,
ଏକତାର ବଳ ଆମରି ପଖାଳ
ଧନୀ ଦରିଦ୍ର ତ ଏକ।।
କୋଟି ଓଡ଼ିଆଙ୍କ ମଉଡ଼ମଣି ସେ’
ଠାକୁର ଦ୍ବାରିକାଧୀଶ,
ଜଗନ୍ନାଥ ବଳ’ ସେ’ ଦେଶ ପଖାଳ
ବୋଲି ଜାଣେ ଆଜି ବିଶ୍ୱ।।
ଜାନକୀ ମହାନ୍ତ
ବେଙ୍ଗାଲୁରୁ
68 total views, 1 views today