“ଯଉବନ ଲହରୀ”
ସମୟ ସ୍ରୋତରେ ତରଙ୍ଗାଇତ ହୁଏ
ପ୍ରୀତି ଖେଳେ ତନୁମନେ,
ବୟସ ତରୁର ଶାଖା ଡାଳେ ପରେ
ଗାଏ କାମପିକ ମାନେ ll(1)
ଯୁବା ଯଉବନ ବାରୁଣୀ ମିଳନ
ମିଳନ ଲଗନ ଖୋଜେ,
ବାଞ୍ଛା ପୂରଣର ଭାବନା ଖେଳଇ
ସାଥି,ପ୍ରୀତି ସୁଖ ହେଜେ ll(2)
ସରାଗ ଭାବନା, ଆକଟ ମାନେନା
ସୀମା ସରହଦ ଡେଇଁ
ଆତ୍ମୀୟ,ସ୍ୱଜନ, ବନ୍ଧୁ ପରିଜନ
ପିତାମତା ମାନେ ନାହିଁ ll(3)
ଆଣଇ ବିପତ୍ତି, ଚୋରା ପୀରତିଟି
ନଥିଲେଟି ସହମତି,
ଛଳକପଟର ରସିକ ଦିଅଇ
ନାଟକ ଅନେକ ଗୁନ୍ଥି ll(4)
ହାଆ ଉଦାସିଆ, କରଇ ବାଇଆ
ଝୁରିଘାରି ହେଉ ଥାଏ,
କହି ହୁଏ ନାହିଁ ସହି ହୁଏ ନାହିଁ
ଆଛନ୍ନ କରଇ ମାୟା ll(5)
ଲୁହ କୋହ ନେଇ, ସମୟ ବିତଇ
ମନ ପ୍ରାଣ ଝୁରୁ ଥାଇ,
ଅସହ୍ୟ ହୋଇଲେ, ବଞ୍ଚିବା ଆଶାଟି
ନିତ୍ୟ ମଉଳେ ସେହି ll(6)
ବେରସିକ ଜନ ମୃଗତୃଷ୍ଣା ଜାଣ
ପିପାସା ମେଣ୍ଟି ନଥାଏ,
ପରିସ୍ଥିତି ସlଥେ, ସାଥି ହୋଇ କେହି
ଅବାଟେ ବାଟୋଇ ହୁଏ ll(7)
ଅଣଦେଖା କରେ, ଧରମ ସଂସ୍କୃତି
ସଂସ୍କାର, ସଭ୍ୟତା, ପ୍ରଭୁ
କମାନଳେ ଜାଳେ,ବେପାରୁଆ ବଳେ
ଲଭି ଅପବାଦ ସବୁ ll(8)
ପବିତ୍ର ପ୍ରୀତିରେ ସରଗ ସୁଖଟି
ସମାଲୋଚକ ହୁଏ ବୋକା,
ଜୀବନ ତରଣୀ ହସି ଭାସି ଯାଏ
ଦୁହେଁ ଦୁହିଙ୍କର ସଖା ll(9)
**********************
ସୁଷମା ପଣ୍ଡା, ନିବାସ-ଶ୍ରୀରାମନଗର
ଡାକ-ଗୁଣୁପୁର, ଜିଲ୍ଲା-ରାୟଗଡା
ଓଡିଶା, ଯୋଗାଯୋଗ- 943778316