ଜାରଜ
ଅନାଥ ବୋଲି ମୋ କପାଳେ ଲେଖା
ପିତାମାତାଙ୍କର ମିଳେନି ଦେଖା
ପରିଚୟ ହୀନ ଅଲୋଡା ସାଜି
ଦୁଃଖୀ ଜୀବନକୁ ହୋଇଛି ରାଜି ।।
ଅସହାୟ ଅଟେ ଜୀବନ ମୋର
ଦୁନିଆଁ ଦାଣ୍ଡରେ ଲାଗୁଛି ଡର
ଲାଞ୍ଛନା ପାଉଛି ଦରଦୀ ମନ
ନାହାନ୍ତି କେଜଣେ ଆତ୍ମୀୟ ଜନ ।।
ଈଶ୍ବରଙ୍କୁ ଖାଲି ପଚାରେ ଏହା
କିଏ ଅଛି ଏଇ ଜଗତେ ସାହା
ଧରାଧାମେ କିଆଁ ଆଣିଲ ପ୍ରଭୁ
କେତେ ଆଉ ଦୁଃଖ ତୁହିରେ ଦେବୁ ।।
ଧନ୍ୟରେ ମଣିଷ ଧନ୍ୟ ତୋ ଜାତି
ମେଣ୍ଟାଉଛୁ ନିଜ ଦେହର ତାତି
ମଥାର କଳଙ୍କ ପୋଛିବା ପାଇଁ
କଅଁଳ ଶିଶୁକୁ ପାରୁନୁ ଚାହିଁ ।।
ନାଳ ନର୍ଦ୍ଦମାରେ ଫିଙ୍ଗୁଛୁ ଛୁଆ
ଶୁଭେନାହିଁ କିଆଁ ତାହାର କୁଆଁ
ପାଷାଣ ହୃଦୟ ମଣିଷ ସାଜେ
କାମନା ନିଶାରେ ନିଇତି ହଜେ ।।
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର