##ଜଂଗଲୀ ଆଦିବାସୀ##
ବାର ତିଅଣ କଥା
କେବେ ସ୍ବପ୍ନରେ ଭାବୁନା
ଆମେ ବାସି ପଖାଳରେ ଖୁସି,
ଦେହ ସିଝିଯାଏ
ଖରାରେ ଖଟି ଖଟି
ଆମେ ପରା ଜଂଗଲୀ ଆଦିବାସୀ।
ଧନ ସମ୍ପଦରେ
ତିଳେ ନାହିଁ ଲୋଭ
ଧୂଳି ଦାଣ୍ଡରେ ବି ଯାଉ ବସି,
ଝାଟିମାଟି ଘରେ
ତାଜମହଲକୁ ଦେଖୁ
ଆମେ ପରା ଜଂଗଲୀ ଆଦିବାସୀ।
ପ୍ରକୃତି ସାଥିରେ
ବୃକ୍ଷ ଗହଣରେ
ସାଜିଯାଉ ପୁଣି ଚାଷୀ,
ମଳିମୁଣ୍ଡିଆ ଆମେ
ସହର ଦେଖିନୁ
ଆମେ ପରା ଜଂଗଲୀ ଆଦିବାସୀ।
ଫୁଲ ଖୋସିଦେଇ
ବୋହୂ ସାଜିଯାଉ
ଭୀରୁ ନୁହଁ ,ଆମେ ସାହାସୀ
ଛନ୍ଦ କପଟର
ପାଖ ପଶିନାହୁଁ
ଆମେ ପରା ଜଂଗଲୀ ଆଦିବାସୀ।
ଝାଳ ବୋହି ବୋହି
ବନ୍ୟା ହୋଇଲେ ବି
କଷ୍ଟ ନକହି, ଦଉ ହସି
ମାଟିର ମଣିଷ ଆମେ
ମାଟିରୁ ତିଆରି
ଆମେ ପରା ଜଂଗଲୀ ଆଦିବାସୀ।
ହୀନଦୃଷ୍ଟିରେ ସିନା
ସମାଜ ଦେଖଇ
ଖାଲି ମିଛରେ ଦିଅନ୍ତି ଆଉଁସି,
ଖଟିଖିଆ ଆମେ
ସାହାଯ୍ୟ ଲୋଡୁନା
ଆମେ ପରା ଜଂଗଲୀ ଆଦିବାସୀ।
ସାଇ ପ୍ରଭା ସୁତାର
ଭଦ୍ରକ।
547 total views, 1 views today