ଈଶ୍ୱର ଙ୍କୁ ପ୍ରଶ୍ନ
ନନ୍ଦିନୀ ରାଉତ, ଅନୁଗୋଳ
ହେ ଈଶ୍ୱର
ଆଜି ଦିଅ ମୋ ପ୍ରଶ୍ନ ର ଉତ୍ତର
ଯୁଗ ଯୁଗ ପାଇଁ ତୁମେ କିମ୍ପା ନିରୁତ୍ତର।
ନାରୀ କିମ୍ପା ଯୁଗେ ଯୁଗେ ନିର୍ଯାତିତା ହୁଏ
ବସୁନ୍ଧରା ପରି ସବୁ ଦୁଃଖ ସହିଯାଏ।
ଗରିବ କପାଳେ କିଆଁ ଦୁଃଖ ଦେଲ ଲେଖି
ଅପମାନ ଯନ୍ତ୍ରଣା କୁ ସାଥେ ତାର ଯୋଖି।
ହେ ଈଶ୍ୱର
ଆଜି ଦିଅ ମୋ ପ୍ରଶ୍ନର ଉତ୍ତର
ଧନୀ ଗରିବ କି ତୁମେ କରିଛ ଭିଆଣ
ଧନୀ ପାଇଁ ସୁନା ହୀରା ଦୁଖୀ ପାଇଁ ଋଣ
ରାଜା ପ୍ରଜା ସୃଷ୍ଟି କରି କି ଲାଭ ପାଇଛ
ରାଜା ଠାରୁ ଅବା କିଛି ଲାଞ୍ଚ ନେଇଅଛ।
ହେ ଈଶ୍ୱର
ଆଜି ଦିଅ ମୋ ପ୍ରଶ୍ନର ଉତ୍ତର
ଯୌତୁକ ପ୍ରଥା ଅଟଇ ସୃଷ୍ଟି କି ତୁମର
ଅକାଳ ରେ ଝରି ପଡେ ଦୁହିତା କାହାର
ଯୌତୁକ ଜୁଇରେ ଜଳି ଯାଉଛି ଲଳନା
ପୁରୁଷ ଙ୍କ ପାଇଁ କିଆଁ ସାଜୁଛି ଖେଳନା।
ହେ ଈଶ୍ୱର
ଆଜି ଦିଅ ମୋ ପ୍ରଶ୍ନର ଉତ୍ତର
କୁଶ୍ଚିତ ମାନସିକତା ନେଇ ଜନ୍ମେ ନର
ଯୁଦ୍ଧ ବିଭୀଷିକା ହତ୍ୟା କରେ ହତ୍ୟା କା, ର
ଅକାଳରେ ଝରିଯାଏ ନିରୀହ ଜୀବନ
ଏହି କାର୍ଯ୍ୟ ଦେଖି ଶୁଣି ତୁମେ ହୁଅ ଧନ୍ୟ।
ହେ ଈଶ୍ୱର
ଆଜି ଦିଅ ମୋ ପ୍ରଶ୍ନର ଉତ୍ତର
ସଦ୍ୟ ବିବାହିତା ନାରୀ ହରାଏ ସିନ୍ଦୁର
ବୃଦ୍ଧ ପିତା ହରାଉଛି ସନ୍ତାନ କୁ ତା ର
କେତେ ମାତାଙ୍କର କୋଳ ଶୂନ୍ୟ ଅଛି ହୋଇ
ଏହା ଦେଖି ନିରବରେ କିମ୍ପା ଯାଅ ଶୋଇ।