ଈଶ୍ୱରଙ୍କୁ ପ୍ରଶ୍ନ
______________
ନିର୍ଜୀବ ପାଷାଣ ରୂପେ ବିଦ୍ୟମାନ
କୁହ ହେ ଈଶ୍ୱର କୁହ,
ତୁମ ହାତଗଢ଼ା ଧରଣୀରେ କେବେ
ନ୍ୟାୟ ପାଇବେ ନୀରିହ ?
କେତେ ସଧବାଙ୍କ ସତୀତ୍ୱ ଜଳିବ
ସ୍ବାମୀଙ୍କ ଜୁଇ ନିଆଁରେ,
କେତେ ନିକାଞ୍ଚନ ସ୍ଥାନ କମ୍ପୁଥିବ
ଅବଳା ଆର୍ତ୍ତ ଚିତ୍କାରେ ?
କେତେ ଦିନ ଯାଏଁ ଶ୍ୱାନ ଝୁଣୁଥିବେ
କଅଁଳ ଶିଶୁର ଦେହ,
ନେତ୍ର ସବୁ କେବେ ହୋଇବ ଉନ୍ମୁକ୍ତ
ଫିଟିବ ଟଙ୍କାର ମୋହ ?
ଗରିବ ଆଖିରୁ କେତେ ଦିନ ଆଉ
ଝରୁଥିବ ଲୁହ ଧାର,
ତେଲିଆ ମୁଣ୍ଡରେ ତେଲ କେତେ ଦିନ
ବୋଳୁଥିବେ ସରକାର ?
ତୁମ ପ୍ରିୟ ସୃଷ୍ଟି ଅସ୍ଥିର ହେଲାଣି
ସ୍ଥିତିକୁ ହରାଇ ତା’ର,
କୁହ ହେ ଈଶ୍ୱର, କେବେ ଉଭା ହେବ
ଧରି କଳକୀ ଶରୀର ।
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra
144 total views, 1 views today