ଏଇ ମାଟି ମୋର ସରଗ ପୁରୀ
ଇଏଲାଗେ ମୋତେ ଚନ୍ଦନ ପରି
ଏଇଠି ଜନମ ଏଇଠି ମରଣ
ଇଏ ଜନ୍ମଦାତ୍ରୀ ଜନନୀ ମୋର,
ମୋଜୀବ ଜୀବନ ମୋହୃଦ ଚନ୍ଦନ
ଏ ମାଟି ମୋ ପାଇଁ ସରଗ ପୁର!
ଏ ମାଟିରୁ ଦାନା ସର୍ବ ସମ୍ଭାବନା
ଦିଏ ସଞ୍ଜୀବନ ପାଣି ପବନ,
ଏ ମାଟିରେ ବାସ ଏଇଠି ବିକାଶ
ପାଳିପୋଷି ମୋର ଗଢ଼େ ଜୀବନ,
ଏଇଠି ମୋ ଶିକ୍ଷା ସଂସ୍କାର ସୁରକ୍ଷା
ଇଏ କର୍ମ କ୍ଷେତ୍ର ଜନ୍ମ ଜନ୍ମର,
ଏଇଠି ଜନମ ଏଇଠି ମରଣ
ଇଏ ଜନ୍ମଦାତ୍ରୀ ଜନନୀ ମୋର!
ନଦୀ ହ୍ରଦ ସର ତୋଟା ବନ ଝର
କ୍ଷେତ ଉପବନ ରହିଛି ପୂରି,
ଭବ କର୍ମ କ୍ଷେତ୍ର ହୋଇଛି ପ୍ରସ୍ତୁତ
କର୍ମଯୋଗେ ଭୋଗକରେ ସଂସାରୀ!
ପୁଣ୍ୟକର୍ମେ ସ୍ୱର୍ଗ ସଂଭୋଗ ସୁଯୋଗ
ପାପେ ବୁଡ଼ି ଦୁଃଖେ ସଢ଼ିବି କାହିଁ,
ମୋ ସରଗ ପରୀ ‘ମାଟି’,’ମର୍ତ୍ତ୍ୟପୁରୀ’
ସୁବାସ ସୈାରଭ ଦେବି ହରାଇ!
ଏ ସରଗ ପୁର ଏ ଚନ୍ଦନ ମୋର
ଭାଗ୍ୟ ଭୂଗୋଳେ ‘ମୋ ଅତି ନିଜର’,
ମୋ ଜୀବ ଜୀବନ ମୋ ହୃଦ ଚନ୍ଦନ
ଏ ମାଟି ମୋ ପାଇଁ ସରଗ ପୁର!
ଜୀବନରେ ରାହା ଦିଏ ମାଟି ମାଆ
ସାହା ହୁଏ ସାରା ଜୀବନ କାଳେ,
ନର ଜନ୍ମ ମୋର ହୁଅଇ ସାକାର
ଧନ୍ୟ ହୁଏ ପୁଣ୍ୟ କରମ ବଳେ!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ