#ପରିଚୟ #
#ଭାଗ-ଏକ#
#ଗୋଟେନୂଆଆରମ୍ଭ#
ବନସ୍ମିତା ପଣ୍ଡା…….
…….ସତରେ କେତେ ଶାନ୍ତି ଏଇ ଖପର ଛାତ ବିଶିଷ୍ଟ ଘରେ l ଦୁଇ ବଖରାରେ କେନ୍ଦ୍ରିତ ଏ ଘର କିଛି ମହଲ ଠାରୁ କମ୍ ନଥିଲା ନନ୍ଦିନୀ ପାଇଁ l ଆଜି ଶେଷ ନିଶ୍ୱାସ ପୂର୍ବରୁ ବୋଧେ ପୁରା ହୋଇଛି ତାର ନିଜ ଛାତ ତଳେ ଛିଡା ହେବାର ଇଚ୍ଛା ସତେ ଯେପରି ପକ୍ଷୀଟିଏ ପଞ୍ଜୁରୀ ଭିତରୁ ବାହାରି ଆସିଛି ଅନେକ ଦିନ ପରେ ନିଜକୁ ଖୋଜି ପାଇବାକୁ l ଦୀର୍ଘ ଦିନ ଧରି ଥିଲା ଶାନ୍ତିର ସନ୍ଧାନରେ ଆଉ ଆଜି ବୋଧେ ସେଇ ଆଶା ତାକୁ ନେଇଆସିଛି ସହର ଠାରୁ ସୁଦୂର କୋରାପୁଟ ମାଳିଗୁଡା ନିରୀହ ସାନ୍ତାଳ ଆଦିବାସୀଙ୍କ ଗ୍ରାମକୁ l
…….ଘରଟା ସଫାସୁତୁରା କରିଦେଇଛନ୍ତି ଗାଁ ଲୋକେ l ଖରା ଦିନେ ଥଣ୍ଡା ହେବ ଖପର ଘରେ,କିନ୍ତୁ ଶୀତ୍ତ ଦିନେ ଅତିରିକ୍ତ ଥଣ୍ଡା ହେବ,ଏ ଥଣ୍ଡା ପରିବେଶ କଣ ତା ଆଖିରେ ଥିବା ଗରମ ଲୁହକୁ, ଛାତିର ଗରମ କୋହକୁ ଶୁଖାଇ ପାରିବ ? ଏହା ଭାବି ଲୁହ ପୋଛି ଟିକେ ନିଜ ଉପରେ ସ୍ମିତ ହସ ଦେଲା ନନ୍ଦିନୀ l ରହିବାକୁ ଅବା କଣ ଅଧିକା ଦରକାର? ଗୋଟାଏ ବଖରାରେ ରହଣୀ, ସେଥିରେ ଥାଏ ସାଧାରଣ କାଠ ଖଟିଆଟିଏ, ଗୋଟେ କାଠ ଆଲମାରୀ , ଲୁଗାପଟା ରଖିବାକୁ ଅଲଣା ଟିଏଏବଂ ଗୋଟେ କାଠ ଟେବୁଲ ଦୁଇଟି ଚେୟାର, ପାଖ ବାରଣ୍ଡାର ଗୋଟେ ପାଖେ ରୋଷେଇ, ଅପର ପାଖେ ସ୍ନାନ ଆଦି ନିତ୍ୟକର୍ମ ପାଇଁ ସୁବିଧା l ଆର ବଖରାଟି ଖାଲି ରଖିଥିଲା …. ଗାଁ ପିଲା ପାଠ ପଢିବାକୁ ଆସିବେ ବୋଲି l ଆଉ କିଛି ଆଶା ନାହିଁ ତାର l ସେ ଆଜି ସମ୍ପୂର୍ଣ ନିଃଶ୍ବ,କେହି ତାକୁ ଖୋଜିବାକୁ ନାହାନ୍ତି କି ସେ ମଧ୍ୟ୍ୟ ସମ୍ପୂର୍ଣ ଦାୟିତ୍ୱହୀନ, ସେମିତି ତାକୁ କେହି ଖୋଜୁ ସେ ମଧ୍ୟ୍ୟ ଚାହେଁନି l
……. ଆବଶ୍ୟ ଏତେ ବଡ଼ ଘର ଝିଅ ଆଉ ବୋହୂ ଭାବେ ତାର ପରିଚୟ,କିନ୍ତୁ କେବେ ବୋଧେ ସେ ଏହି ପରିଚୟରେ ସନ୍ତୁଷ୍ଟ ନଥିଲା l ସୁଟକେ୍ସ ଟାକୁ ଘର ଭିତରେ ଥୋଇ ଦେଇ ଚାଲି ଆସିଲା ସେ ବାହାରକୁ ଦେଖେତ ସୁନ୍ଦର ଛୋଟ ବଗିଚାଟିଏ l ବଗିଚାଟି ପରିପୂର୍ଣ ଥିଲା ସୁନ୍ଦର ସୁନ୍ଦର ଫୁଲ ଏବଂ କିଛି ବାଡ଼ି ତିଆରି ଭିନ୍ନ ଭିନ୍ନ ଶାଗ ଏବଂ ପନିପରିବାରେ, ଖୁବ ଆନନ୍ଦର ସହ ଦେଖୁଥିଲା ପ୍ରକୃତିକୁ, ସତିକା ଅତୀତର ଆବଦ୍ଧତା ଭିତରୁ ନିଜକୁ ମୁକୁଳେଇବାକୁ ଚେଷ୍ଟା କରୁଥିଲା ସେ, ବାହାରେ ବସନ୍ତର ମୃଦୁ ମଳୟ ପବନ ସହ ନିଜକୁ ବେଶ ହାଲୁକା ଅନୁଭବ କରୁଥିଲା ସେ, ପ୍ରକୃତିର ସୁନ୍ଦରତାକୁ ସମ୍ପୂର୍ଣ ରୂପେ ସାଉଁଟି ନେବାକୁ ଚାହୁଁଥିଲା ତାର ସେ ଲୋଭାନୀୟ ଆଖି ଯୋଡିକରେ , ଦୂର ପାହାଡ଼ ଯେପରି ତାକୁ ଡାକୁଥିଲେ ଆଲିଙ୍ଗନ ଉପଲକ୍ଷେ l ବିହଙ୍ଗ ଗୁଡିକର ଉଡାଣ ଦେଖି ନିଜକୁ ଦୀର୍ଘଦିନ ପରେ ସ୍ୱାଧୀନ ମନେ କରୁଥିଲା l ଆଉ ଖୋଜୁଥିଲା ଅନେକ ମୁହୂର୍ତ୍ତ ଯାହା ସେ ବଞ୍ଚି ପାରିନଥିଲା ଜୀଵନ ଯାତ୍ରା ଏବଂ ତା ଭିତରେ ଥିବା ସଂଗ୍ରାମ ଭିତରେ l
ହଠାତ କାହା ଡାକରେ ପ୍ରକୃତିସ୍ଥ ହୋଇ ଉଠିଲା ନନ୍ଦିନୀ….. ” ବୋହୂ ମା “…..
କ୍ରମଶଃ……..
ବନସ୍ମିତା ପଣ୍ଡା
ଯାଜପୁର