..….. କୁକୁର ମୁହିଁ………..
(ଏକ ବ୍ୟଙ୍ଗାତ୍ମକ କବିତା )
କୁକୁର ମୁହିଁ……
ବଡ଼ଲୋକଙ୍କର ଦେହ ଚାଟଇ (ଘୋଷା )
ପୂରୁବ ଜନ୍ମରେ ଭାଗ୍ୟ କରିଥିଲି
କୁକୁର ଜନମ ଅବଶ୍ୟ ଲଭିଲି
ବିତାଉଛି ଦିନ ସୁଖରେ ରହି
କୁକୁର ମୁହିଁ……
ମାଲିକ ମୋହର ଭଲ ଅଟନ୍ତି
ମୋତେ ବେଶି ସେ ଭଲ ପାଆନ୍ତି
କିଣିଛନ୍ତି ବେଶି ଦାମ ଦେଇ
କୁକୁର ମୁହିଁ…….
ରୁଟି ସହ କ୍ଷୀର ସକାଳେ ପାଏ
ମଧ୍ୟାହ୍ନ ଭୋଜନେ ମାଂସ ମୁଁ ଖାଏ
ଡିନେର ଖାଉଛି ହୋଟେଲୁ ନେଇ
କୁକୁର ମୁହିଁ…..
ସକାଳେ ସଂନ୍ଧ୍ୟାରେ ବୁଲି ଯାଉଛି
ପସନ୍ଦ ଜାଗାରେ ଝାଡା ଫେରୁଛି
ଖେଳେ ପରିବାର ସାଙ୍ଗରେ ରହି
କୁକୁର ମୁହିଁ……….
ମାଲିକାଣୀ ଦେଖି ହୁଅନ୍ତି ଖୁସୀ
ଶ୍ରଦ୍ଧାରେ ଦିଅନ୍ତି ଦେହ ଆଉଁସି
ପାଶେ ତାଙ୍କ ଶୁଏ ବେଡ଼ରେ ଯାଇ
କୁକୁର ମୁହିଁ……..
ମାଲିକର ଝିଅ କାରରେ ନିଏ
ସବୁବେଳେ ମୋତେ କୋଳେଇ ଥାଏ
ଗାଧୋଇ ଦିଏସେ ସାବୁନ ଦେଇ
କୁକୁର ମୁହିଁ……….
କିଛି କାମଧାମ କରଇ ନାହିଁ
ଘରସାରା ବୁଲୁଥାଏ ମୁଁ ରହି
ନୂଆଁଲୋକ ଆସେ ଦେଖି ଭୁକଇ
କୁକୁର ମୁହିଁ……..
ଆଶ୍ଚର୍ଯ୍ୟ ଦେଖି ମୁଁ ମଣିଷ ରୀତି
ନିଜଲୋକେ ଘୃଣା ପଶୁଙ୍କୁ ପ୍ରୀତି
ରହସ୍ୟ ଏହାର ବୁଝଇ ନାହିଁ
କୁକୁର ମୁହିଁ………
ଭଗବାନ ତୋତେ ଯୋଡୁଛି କର
ଯଦି ଜନ୍ମଦେବୁ ପୁଣି ମର୍ତ୍ତ୍ୟର
ଧନୀ ଘର କୁତ୍ତା କରିବୁ ନେଇ
କୁକୁର ମୁହିଁ……….
ବଡ ଲୋକଙ୍କର ଦେହ ଚାଟଇ |
ଶରତ ଚନ୍ଦ୍ର ପଣ୍ଡା ,ଗ୍ରା /ପୋ -ଡ଼େଙ୍ଗାଡି, ଗଞ୍ଜାମ |
ଫୋନ ନଂ -9938693319.