ହଁ କି ନାହିଁ ?
ରଞ୍ଜନ କୁମାର ବ୍ରହ୍ମା
ଶିକ୍ଷକ
ଯିବା ଦିନ ସଦା ଅମର ରହିବ
ଆମର ସ୍ମୃତିଟି ସେଠି ଜଡିତ ।
ଆସିବା ଦିନରେ ପଛକୁ ଭାଳିଲେ
ଅନେକ ପାଇବା ଯା’ ଅଟେ ସତ୍ୟ ।।
ସଂଯମ ଶୃଙ୍ଖଳା ସଦାଚାର ବାର୍ତ୍ତା
ସଂହତି ରଖଇ ଧରାରେ ଆମ ।
ପର ଉପକାରୀ ଶ୍ରମ ଦାନକାରୀ
ତାଙ୍କ ଦାନ ଯୁଗେ ଯୁଗେ ମହାନ ।।
ପରିବେଶ ଯେବେ ସହାୟକ ହୁଏ
ଭଲ ରହେ ମନ ସୁସ୍ଥ ଶରୀର ।
ମଣିଷ ବିଧାତା ଆପେ ବଳୀୟାନ
କରୋନାଟା ଏବେ ଯାଇଛି ଦୂର ।।
ମରିତ ଯାଇନି ଦୂରେଇ ଯାଇଛି
ଫେରିବା ଭୟଟି ଅଛି ନିଶ୍ଚୟ ।
ଆଜିର ଦିନରେ ଯାହା ଆବଶ୍ୟକ
ତାକୁ ଦେଖି ନିଶ୍ଚେ କର ଉପାୟ ।।
ଆବଶ୍ୟକ ଅଛି ଶୁଦ୍ଧ ବାୟୁ ଜଳ
ମୃତ୍ତିକା ଜଙ୍ଗଲ ତରୁ ସମ୍ଭାର ।
ଯେଉଁ ନୀତି ରୀତି ଏସବୁ ବିଗାଡେ
ସିଏ କି କରିବ ଆମର ବୋଲ ?
ଜୀବନ ସମ୍ପତ୍ତି ଯାହାକୁ ମାନିଛେ
ତା’ ପାଇଁ ତତ୍ପର ଦେଖାଇ ଚାଲ ।
ଆଜିର ଆନନ୍ଦ ଯେଉଁ ଦୁଃଖ ଆଣେ
ତା’ ଠାରୁ ଦୂରରେ ରହିବା ଭଲ ।।
ମୃଗ ନାଚ ସଦା ସୁନ୍ଦର ଦିଶଇ
ବାଘ ଠାରୁ ସିଏ ଦୂରରେ ଥିଲେ ।
ଜୀବନ ପୁରିଲା ପୁରିଲା ଲାଗଇ
ଅଭାବ କଷଣ ପାଶୁ ହଟିଲେ ।।
ଚିକିଟୀ ଗଡ଼, ଗଞ୍ଜାମ