ହିସାବ ନିକାଶ
କର୍ମ କରିବାର ଅଛି ଅଧିକାର
ସଂସାରେ ଜନମ ଲଭିଛ ଯେବେ,
ହିସାବ ନିକାଶ ହୋଇବ ଅବଶ୍ୟ
ବିନା ହିସାବେ କେ ରଖିବ ଭବେ!
ହିସାବ ନିକାଶ ନ ହେବାରୁ ଶେଷ
ଆସ ବରାବର କରିବା ପାଇଁ,
କର୍ମ ଫଳ ଭୋଗ କରିବ ଏ ଠାବ
ଶେଷ ନହେଲେ କି ଛାଡ଼ିବ ସେହି?
ସଞ୍ଚିଥିବା ଫଳ ବିଧାତା ତତ୍କାଳ
ଲେଖଇ କପାଳେ ଭବ ସୁଯୋଗେ,
କର୍ମ କରିବାର ଅଛି ଅଧିକାର
ସଂସାରେ ଜନମ ଲଭିଛ ଯେବେ।
ପୁଣ୍ୟେ ସୁଖ ଭୋଗ ପାପର ଦୁର୍ଯୋଗ
ଆସି ଯିବ କାଳ ବେଳକୁ ଜାଣି,
ବର୍ତ୍ତମାନ କର୍ମ ହେବ କ୍ରିୟମାଣ
ପ୍ରାରବ୍ଧ ଥିଲ ଯା’ ସଙ୍ଗତେ ଆଣି!
କ୍ରିୟମାଣ ଫଳ ଫଳିବ ତତ୍କାଳ
ଭୋଗ ହେଉଥିବ ସଙ୍ଗତେ ପୁଣି,
ପ୍ରାରବ୍ଧ ର ଭୋଗ ଆସନ୍ତେ ସଂଯୋଗ
ବିପରୀତ ଦେଖା ଯିବ ସେକ୍ଷଣି,
ଆପଣା ହିସାବ ଶେଷରେ ସରିବ
ଭବକର୍ମଯୋଗ ମୋକ୍ଷ ସୁଯୋଗେ!
ହିସାବ ନିକାଶ ହୋଇବ ଅବଶ୍ୟ
ବିନା ହିସାବେ କେ ରଖିବ ଭବେ?
ଜୀବ କର୍ମ ଯୋଗ ସଂସାର ସଂଯୋଗ
ସଙ୍ଗତେ ହିସାବ ନିକାଶ ନେଇ,
ଜନ୍ମ ଜନ୍ମାନ୍ତର ଜୀବନ ଚକର
ଅନ୍ତେ ପରମାତ୍ମା ଅଙ୍ଗେ ମିଳଇ!
ସୀମାଞ୍ଚଳ ପଣ୍ଡା
ଶିକ୍ଷକ , ଡେଙ୍ଗାଡି, ଗଞ୍ଜାମ