April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ଶୀତଦିନେ ହେଁସ ଘୋଡ଼ିହେଉ’–ଶ୍ରୀଗୋପୀନାଥ ମହାନ୍ତି(୧୯୧୪-୧୯୯୧)

•••’ଶୀତଦିନେ ହେଁସ ଘୋଡ଼ିହେଉ’•••
•••ଶ୍ରୀଗୋପୀନାଥ ମହାନ୍ତି•••
•••(୧୯୧୪—୧୯୯୧)•••

ବେଳେବେଳେ ଲାଗେ, ମୋର ଆଦ୍ୟ ମୁଁ ଦେଖିପାରେ । ଟିକିଏ ଲମ୍ୱା, ସରୁ, ନାଲି ହୋଇ ଗୋଟିଏ ଉତିଆଣି ପିଲା, ହେଁସ ଉପରେ ପକା ହୋଇଥିବା କନା କତରା ଉପରେ ପଡ଼ି ପାଟି କରୁଛି ସେହି ଅବୋଧ୍ୟ ସେ ପୁରର ଭାଷାରେ, ସେ କି କାନ୍ଦଣା, କି ଉଲ୍ଲାସ, ଉଦ୍ଦେଶ୍ୟହୀନ କି ଉଦ୍ଦେଶ୍ୟପୂର୍ଣ୍ଣ ତା କିଏ ଜାଣେ! ମୋ ବୋଉର ମୁହଁ ମନେ ପଡ଼ୁଛି । ଗୋଲ ଆଉ ବଡ଼ ପୂରିଲ ପୂରିଲା; ଭୁବନେଶ୍ୱରର ଭୁବନେଶ୍ୱରୀ ଦେବୀ ମୂର୍ତ୍ତିି ପରି ଗଢ଼ଣ, ସେମିତି ବଳିଲା ବଳିଲା ଦେହ । ମନେପଡ଼ୁଛି, ତା’ ନାକ, ଓଠ, ଆଖି, କପାଳ, ତା ନୋଥ, ତା’ ଦଣ୍ଡୀ, ତା ନାଁ ବି ଦୁର୍ଗା-ଦୁର୍ଗାବତୀ । ବାପାଙ୍କ ମୁହଁର କେତେବେଳେ କେଉଁ ଠାର ମନେପଡ଼ିଲା ପରି ବିଶ୍ୱାସ ହୁଏ । ମୋତେ ବାରବର୍ଷ ହୋଇଥିଲା, ସେ ଗଲେ । ତାଙ୍କ ନାଁ ସୂର୍ଯ୍ୟମଣି । ମନେପଡ଼େ ବହୁତ ମୁହଁ । କେଉଁ ମୁହଁରୁ କେତେ ଅଂଶ, ଘରଯାକ ଖୁନ୍ଦା ଖୁନ୍ଦି, ଗୋବର ଲିପା ମାଟିଘରର କାନ୍ଥ ଆଉ ତଳି । ଯେମିତି ସେ ବି ଗୋଟିଏ ମା’ର କୋଳ । ନଡା ବାଉଁଶର ଚାଳ, ମିଟି ମିଟି ଡିବି ଆଲୁଅରେ ହଲୁଥିବା ଅନ୍ଧାର, ତା’ ପରେ ଫାଇଁ ଫାଇଁ ଅନ୍ତୁଡ଼ି ନିଆଁ, ଉଦୁମୁଦା ଧୂଆଁ ।

ଆଖିବୁଜି ଅତୀତକୁ ଚାହିଁ ଦେଲେ ଯେତେ ଅନୁଭୂତି ବାରିହୁଏ, ତହିଁରୁ କେତେ କେତେ ଅଛି ଦୁର୍ଦ୍ଦିନ ସହିତ ଯୁଦ୍ଧ କରିବାର । ଦୁର୍ଦ୍ଦିନ ଦୁଃଖ କଷ୍ଟ ଦିଏ, ତାକୁ ବଳି ଉଲ୍ଲାସ ଆସେ ମୁଣ୍ଡ ଉଞ୍ଚ ରଖି ତା’ ସଂଗେ ଲଢ଼େଇ କରିବାରେ ।

ଲାଗି ରହିଛି ଝଡ଼ି ବରଷା, ଗଳଗଳ ପାଣି । ଚାରିଆଡେ଼ ଅନ୍ଧାର । ଚଡ଼ଚଡ଼ି ଢାଇ କଲା । ବୋଉ ଡାକୁଛି ‘ଅଗସ୍ତି, ପୌଲସ୍ତି’ । ଦୁଲ୍‍ ଦାଲ୍‍ ଶୁଭୁଛି ପାଖ ଘରେ କାହା କାନ୍ଥ ପଡ଼ିବା ଶବ୍ଦ । ବୋଉ ଏକର ସେକର ଧାଉଁଛି, ଆମ କାନ୍ଥର ଅବସ୍ଥା ଦେଖୁଛି । ଚାଳ ଛୁଆଣି ହୋଇ ପାରି ନାହିଁ । ଏଠି ସେଠି ଟପ୍‍ଟପ୍‍ ପାଣି ପଡ଼ୁଛି । ବୋଉ ଆମକୁ କାମରେ ଲଗାଉଛି । ପ୍ରତି କଣା ତଳେ ହାଣ୍ଡି କି କଂସା ଯାହା କିଛି ରଖିବାକୁ ପଡ଼ିବ, ନହେଲେ ଭୂଇଁ ଓଦା ହୋଇଯିବ । ନଈକୂଳିଆ ଘର । ପବନର ବେଗ ବହୁତ । ତୋଫାନ ହି ହି ହସିଲାଣି । ଦିଶୁଛି ନଡ଼ିଆଗଛ, ଆମ୍ୱ ଗଛ ସତେକି ଶୂନ୍ୟରେ ଛାଟିପିଟି ହେଉଛି । ହେଇ, ଆସିଲା ହଲପା, ଦୁର୍ବଳ ଚାଳକୁ ଏକାଠି ଧରି ଓଟାରି ନେଇଯିବାକୁ ଚାହେଁ । ଆଉ ଅନାଇ ରହିଲେ ଚଳିବ ନାହିଁ । କ’ଣ କରିବାକୁ ହେବ ବୋଉ ତା’ ବତେଇ ଦେଲା । ସମସ୍ତେ ଚାଳକୁ ଧରି ଶୂନ୍ୟେ ଶୂନ୍ୟେ ଓହଳି ପଡ଼ିଲୁ । ପବନ ଉଠାଉଛି ପକାଉଛି, ଉଡ଼ାଇ ନେଇପାରୁ ନାହିଁ । ପବନର ବଳ ହଟି ଆସିଲା । ଆମେ ଜିତିଗଲୁ । ଆଉ ଓହଳିବା ଦରକାର ନାହିଁ ।

ଆଉ କେବେ ଦିନେ- ପଖାଳରେ ଲଗେଇ ଖାଇବାକୁ କିଛି ନାହିଁ । ଚିନ୍ତା ନାହିଁ, ବୋଉ ସାଙ୍ଗେ ସାଙ୍ଗେ କରିଦେଲା ‘ଚିଜ’ । ପୋଷେ ଭାତରେ ଅଳ୍ପ ସୋରିଷ ତେଲ ପକେଇ ଟିକିଏ ଚୂନିଚୂନି ପିଆଜ ମିଶାଇ ଦେଲା । ତା’ର ବି ଏକ ପ୍ରକାର ସ୍ୱାଦ ଅଛି । ସବୁ ଖାଦ୍ୟର ଥାଏ । ତରକାରିର କାମ ସେ ଚଳାଇଦେଲା ।

ମୁଢ଼ିଥିଲେ ଜଳଖିଆ ଅଭାବ ନାହିଁ । ଘରେ ଭାଜି ହୁଏ । ସେମିତି ଖଇ, ହୁଡ଼ୁମ, ମୁଢ଼ିରୁ ଯେ ଆରିସା କାକରା ଯାକେ, ଯେଉଁଦିନ ଯାହା ସବୁ ଉପାଦେୟ । କଣ୍ଡିଆରେ ଆମର ହୁଏ କୋଳଥ । ଡାଲିର କାମ ଅନେକ ସମୟରେ ସେ କରେ । ଭଜା କୋଳଥର ବାସ୍ନା, ଆମ୍ୱୁଲ ପଡ଼ିିଥିବା କୋଳଥ ଡାଲି ଖୁବ୍‍ ସୁଆଦ ଲାଗେ ।

ମୋର ମନେଅଛି, ଚାଉଳ ନିଅଣ୍ଟ ହୋଇଥିଲେ, ରାତି ଓଳି ଥାଳିଏ ଲେଖାଁ କୋଳଥ ‘ପଇତି’ ବହୁତ ଦିନ ଚଳିିଥିଲା । ଆଉ ମନେଅଛି, ଆମ ଭାଗ ଦେଇଥିବା ଜମିରେ ବିଲାତି ଆଳୁ ଫଳିିଥିଲା । ଚାଉଳ ଅଭାବ ହେଲା । ବାପା ନିର୍ଦେଶ ଦେଲେ, ଚାଉଳ ବଦଳରେ ସିଝା ଆଳୁ ହିଁ ଖାଦ୍ୟ ହେବ, କେତେବେଳେ ଓଳିଏ କେବେ ବା ଦିଓଳି । କୌଣସି ଅସୁବିଧା ହୋଇନାହିଁ ।

ନାଲି ନାଲି ବଡ଼ ବଡ଼ ଭାତ, କେମିତି ବେଣାଚେର ପରି ବାସ୍ନା ହୁଏ । ମୁଗଡାଲି କେବେ ଘିଅ, ବାସ୍ନା ଗୁଆ ଘିଅ ଶରଦୀ ମା’ ଗଉଡ଼ୁଣୀ ଦିଏ । କେବେ ଦୁଧ । ଆମ ନଈର ମାଛପାଇଁ ତା’ର ନାଁ ଅଛି । ନାନା ଜାତି ଶାଗ । ଏମିତି ମଝିରେ ମଝିରେ ପରିପୂର୍ଣ୍ଣ ଭୋଜନ । ଆଉ କେବେ କୋଳଥ ପଇତି ।

ଶୀତଦିନେ ହେଁସ ଘୋଡ଼ିହେଉ । ବେଶି ଶୀତ ହେଲେ ମୋଟା ହେଁସ । ବହୁତ ଗରମ ହୁଏ । ଅନ୍ୟ ସମୟରେ ଯୋଡ଼ି ଚାଦର, ‘ମାଠ’, ଗରମ ‘ଆଲୁଆନ’ ବି ମନେ ଅଛି । କିନ୍ତୁ ବେଶି କାମରେ ଲାଗେ ଉହ୍ମେଇ ନତୁବା କେତେବେଳେ ନଡ଼ିଆ ପତ୍ର ଜାଳି ନିଆଁ ।

ଖରାଦିନେ ସପ ବିଛଣା, କିନ୍ତୁ ତାଠୁଁ ବଳି ଆରାମ ଲିପା ହୋଇଥିବା ମାଟି ପିଣ୍ଡା ଉପରେ ଲୁଗା ଖଣ୍ଡେ ବିଛେଇ ଦେଇ ଶୋଇ ପଡ଼ିବା ।

ସେତେବେଳେ ବି ମଶାପଲ ଥିଲେ ନିଶ୍ଚୟ । କିନ୍ତୁ ମଶାରି ପଡ଼ିବା ମନେନାହିଁ । ମଶାରି ନଥିଲା ବୋଲି ନିଦରେ ବ୍ୟାଘାତ ହେବା ବି ମନେନାହିଁ । ବୋଧହୁଏ ଉପାୟ ଥିଲା ସହଜ ।

ମଶକାୟ ଧୂମଃ ।

ମନେପଡ଼ୁଛି, ବାପାବୋଉ କେବେ କେବେ ଆମକୁ ଅପେକ୍ଷା କରୁଥିଲେ ତାଙ୍କ ଅତୀତର କେଉଁ ଭୋଗ ଭାଗ୍ୟର ଜୀବନ କଥା ମନେପକାଇ, କିନ୍ତୁ ମୋ ମନରେ କୌଣସି ପ୍ରକାର ଦାରିଦ୍ର୍ୟ ଅନୁଭୂତି କେବେ ହୋଇଥିବାର ମୋର ମନେନାହିଁ । ସେ ଆକ୍ଷେପର କାରଣ ମୁଁ ଆଦୌ ବୁଝିପାରେ ନାହିଁ । ମୋର କିଛି ଅଭାବ ନଥିଲା । ଗାଳି ନଖାଇଲେ ମୋର ସବୁଦିନେ ଆନନ୍ଦ, ମାଡ଼ କ୍ୱଚିତ୍‍ ଖାଇଚି । ବୋଉ ମାରେ ନାହିଁ । ବୋଉ ମୋର ଖାଲି ଜନ୍ମଦାତ୍ରୀ ନୁହେଁ, ସେ ହୋଇଥିଲା ମୋର ପ୍ରାଣରସ ଆହରଣ କରିବାର କ୍ଷେତ୍ର ।

ରାତି ଚାରିଟା ବେଳୁ ସେ ଉଠିପଡେ଼, ଠାକୁରଙ୍କୁ ସ୍ମରଣ କରେ । ନିତ୍ୟକର୍ମ ଛିଣ୍ଡାଏ, ଘର ଲିପାପୋଛା, ଦୁଆର ଓଳେଇ ବାସିକାମ ସାରେ । ପାହାନ୍ତା ପହରକୁ ଗାଁର ଅନ୍ୟମାନଙ୍କ ସାଙ୍ଗେ ନଈକୁ ଯାଏ, ନଈପାଣି ସେଠୁ ଅଧମାଇଲିଏରୁ ବେଶି ଦୂର, ଗାଧୋଇ ଆସି ଚୁଲି ଲଗାଏ । ଆମକୁ କିଛି ଖାଇବାକୁ ଦିଏ । ରାତିରୁ କରି ରଖିଥାଏ ଗଇଁଠା, ଚକୁଳି କି ପୋଡ଼ପିଠା କି କିଛି । ନିଜେ ଶାଗ ପଖାଳ ଖାଏ । ଦିନଯାକ ଲାଗିଥାଏ କାମରେ, ତା’ ଆଖିରେ ବହୁତ କାମ ପଡେ଼ । ଆମ ଆଖିରେ କାମ ନଥାଏ । ଦିନରେ ସେ ଖାଉଖାଉ ଦିନ ଦେଢ଼ଟାରୁ ଅଢେ଼ଇଟା । ସମସ୍ତେ ଖାଇ ସାରିଥିବେ । ସମସ୍ତଙ୍କୁ ସୁଆଦିଆତକ ଅଜାଡ଼ି ଦେଇ ନିଜେ ବସି ବସି ଖୁଆଇବ । ସେଇ ତା’ର ଆନନ୍ଦ । ତା’ପରେ ଯାହା ବଳିଲା, ଯାହା ଆଉ କାହାର ଦରକାର ନାହିଁ, ସେହି ତା’ର ଖାଦ୍ୟ । ତା’ର ପରିଶ୍ରମ କରିବା ଶକ୍ତି ଅଦ୍ଭୁତ । ବରାଦ କରିବା, ବହୁତ ଲୋକଙ୍କୁ ଚଳେଇବା, ଏସବୁ ବିଷୟରେ ଦକ୍ଷତା ଅପରିସୀମ । ତା’ର ସେବା ଆଉ କିଏ କରୁ, ତାକୁ ଆଦୌ ରୁଚେ ନାହିଁ । ସେ ସମସ୍ତିଙ୍କର ସେବା କରିବ ।

ଘରେ ପୂଜାର ଧୁମ୍‍ଧାମ୍‍ ଲାଗି ରହିଥାଏ । ନାନା ବ୍ରତ, ଓପାସ, ଓଷା । ବର୍ଷକରେ ପାଞ୍ଚ ସାତ ମାସରୁ କମ୍‍ ନୁହେଁ । ଖଞ୍ଜାଯାକ ଘର ଲିପା ହୁଏ । ଘର ବାହାର ପରିଷ୍କାର୍‍ ଜିକ୍‍ ଜିକ୍‍ । ଫୁଲ ତୋଳାହୋଇ ଗଦା ହୁଏ । ନାନା ‘ସାମଗ୍ରୀ’ ସଂଗ୍ରହ କରିବାରେ ସମସ୍ତେ ବ୍ୟସ୍ତ ରହନ୍ତି । ଘରେଘରେ ପିଠାପଣାର ଚେଁ ଚାଁ, ପବନରେ ତା’ର ବାସ୍ନା । ତା’ପରେ ପୁରୋହିତ ଆସନ୍ତି, ପୂଜା ସଜା ହୁଏ । ରଂଗରଂଗର ମୁରୁଜ, ଗୁଣ୍ଡ, ନାନା ପଦାର୍ଥ, ଦୀପ ଜଳେ । ମନ୍ତ୍ରପଢ଼ା, ପୋଥିବୋଲା । ଥାଳି ଥାଳି ‘ଭୋଗ’ । ଘଣ୍ଟ ପିଟା, ଶଙ୍ଖ ହୁଳହୁଳି, ଭାରି ମଉଜ । ପୂଜା ସରେ । ତା’ପରେ ବ୍ରାହ୍ମଣ ଭୋଜନ, ଆଉ ଆମର ଓଷାବାର ଛଡ଼ା ପ୍ରତିଦିନ ଘରେ ଘରେ ପୂଜା, ପୁରାଣ ପଢ଼ା, ବାପାଙ୍କ ନିଶ୍ଚଳ ‘ଧ୍ୟାନ’ ।

ସେତେବେଳେ ମୋର ଦୁନିଆଁ ସେଇ ଗାଁ । ଆଉ ତା’ ବାହାରେ ଅନ୍ୟ ପ୍ରକାର କିଛି ଥାଇପାରେ ଏଭଳି ଧାରଣା ନଥିଲା । ମୋର ମନେଅଛି, ଅପା ଖଣ୍ଡେ ମିଶ୍ରି ଖାଉଥିଲା ଯେ ମୁଁ କାବା ହୋଇ ପଚାରୁଥିଲି ସେ କି ପଦାର୍ଥ । ରସଗୋଲା ନାଁ ମୁଁ ଶୁଣିିଥିଲି, ଆମ ଗାଁ କୀର୍ତ୍ତନ ଗୁଡ଼ିଆ ତାକୁ କରେ ନାହିଁ । ଲୁଗା ଏତେ ଆବଶ୍ୟକ ନଥିଲା, ମୋର ଖଣ୍ଡେ ଅଧେ ଥିଲା ସତ, କିନ୍ତୁ ଛ’ ବର୍ଷ ଯାକେ ମୁଁ ସବୁବେଳେ ତାକୁ ପିନ୍ଧୁ ନିଥିଲି । ଅବଶ୍ୟ ମୋର ଗୋଟିଏ ସାଜ- ଗୋଲାପୀ ମଖମଲର ପାଇଜାମା, କୁର୍ତ୍ତା ଓ ଜରିଦିଆ ଟୋପି ଥିଲା । ମତେ ଅନ୍ୟ ଗାଁକୁ ବୁଲେଇ ନେଲାବେଳେ ସେଥିରେ ମଣ୍ଡିତ କରାହେଉଥିଲା । ‘ପିପରମେଣ୍ଟ ମିଠେଇ’ ମୁଁ ଚିହ୍ନି ଥିଲି । କିଏ ହେଲେ ଆଣି ଦିଅନ୍ତି । ମୋର ମନେଅଛି, ଭାଇ ଯେତେବେଳେ ଦାନ୍ତଘଷା ଚୂର୍ଣ୍ଣ ଅଜାଡ଼ି ଦାନ୍ତ ଘଷିଲେ ମତେ କାବା ଲାଗିଲା ଓ ଜଇଦାଦି ଯେତେବେଳେ ରୁପାର ବୋତାମ କାମିଜରୁ ବାହାର କରିବାର ଦେଖିଲି, ମୁଁ ଆଶ୍ଚର୍ଯ୍ୟ ହେଲି । ଡାକ୍ତର ମୁଁ ଦେଖି ନଥିଲି, ବଇଦ ଦେଖିଛି, ମୁଣିରୁ ଗଦ ବାହାର କରନ୍ତି । ପିଲାଦିନେ ଦିଆସିଲି କାଠିର ଅଗରେ ଥିବା ରଂଜକ ପ୍ରତି ମୋର ବହୁତ ଲୋଭ ହେବାରୁ ମୁଁ ସେଥିରୁ ଗୁଡ଼ିଏ ଖାଇ ଦେଇଥିଲି, ରକ୍ତଝାଡ଼ା ଲାଗି ରହିଲା ମାସେ ଯାକେ । ବଇଦ ଭଲ କଲେ । ଚାହା ମୁଁ ଚିହ୍ନି ନିଥିଲି । ଅନ୍ୟ ଗାଁରେ ପଠାଣ ସାହିରେ କୁକୁଡ଼ା ଦେଖିଛି । କେବେ ଭାବି ନଥିଲି ସେଗୁଡ଼ିକ ମଣିଷର ଖାଦ୍ୟ । ଚିନାବାଦାମ ମୁଁ ଦେଖିଲି ଆହୁରି କେତେବର୍ଷ ପରେ । ସେତେବେଳେ କାହ୍ନୁଭାଇ ମୋତେ ଚୋପାଗୁଡ଼ିଏ ଦେଇ ଚୋବେଇବାକୁ କହିଲେ । ଥୁ ଥୁ କରୁକରୁ ଧୂଳଭାଇ ସାହାଯ୍ୟ କଲେ । ମଦୁଆ ମୁଁ ଦେଖି ନଥିଲି । ସାଇକଲ, ମଟର, ସିନେମା, ଥିଏଟର୍‍ ଫୁଟୁବଲ୍‍ ଖେଳ ଏସବୁ ମୋତେ ଅଜଣା । ମୁଁ ଥିଲି ନିପଟ ମଫସଲିଆ ପିଲା । ଜୋତା ମାଡିଲି କଲେଜରେ । ପିଲାଦିନେ କଠଉ ମାଡ଼ୁଥିଲି । କିନ୍ତୁ ମୁଁ ମୋ ଦୁନିଆକୁ ଚିହ୍ନିବାର ସୁଯୋଗ ପାଇଥିଲି, ଆଖିରେ, ନାକରେ, କାନରେ, ଜିଭରେ, ଚମରେ ଚାଖିଥିଲି ଗାଁ କ’ଣ, ପଲ୍ଲିଶ୍ରୀ କ’ଣ । ସେ ସୁଯୋଗ ମୁଁ ମୋ ସନ୍ତାନମାନଙ୍କୁ ଦେଇପାରି ନାହିଁ ।

ସହରର ପିଲା କଳ୍ପନା କରିପାରିବ ନାହିଁ ଯାନ୍ତ୍ରିକ କୋଳାହଳ, ବ୍ୟସ୍ତତା, ଉତ୍ତେଜନା, ଉଦ୍‍ବେଗ, ଆଡ଼ମ୍ୱର । ନିରାପତ୍ତା ଅପସରି ଗଲେ ଦୁନିଆଁ ଦିଶନ୍ତା କିମିତି – ସକାଳ, ଦିପହର, ସଂଜ, ରାତି । ବିନା ଆଲୁଅରେ ରାତି-କେମିତି ଦିଶନ୍ତା, ଲାଗନ୍ତା ଯେଉଁଠି ବଞ୍ଚିବାର ଏକମାତ୍ର ଉଦ୍ଦେଶ୍ୟ ବଞ୍ଚିବା, ଅନ୍ୟ ଉଦ୍ଦେଶ୍ୟ କି ଦୂରଭିସନ୍ଧି ନାହିଁ, ସେ ଜୀବନ କେମିତି, ସେ ସମାଜ କେମିତି!

ସେ ସୁଯୋଗ ପାଇବ ନାହିଁ ଜାଣିବାକୁ କଞ୍ଚା ଓଡ଼ିଆ ବୋଲି ଗାଉଁଲି ଲୋକଙ୍କ ତୁଣ୍ଡରେ କିଭଳି ସଂଗୀତ ସୃଷ୍ଟି କରି ଉଚ୍ଚାରିତ ହୁଏ, କି ବିଶେଷତ୍ୱ ସେ ବୋଲିର ଯେ କେତେ ଅଳ୍ପ କହିଲେ ବି କେତେ ଅର୍ଥ ବୁଝାଏ, କିଛି ନ କହି ବି ଦି’ ଜଣ ଗାଁ ଲୋକ ମୁହାଁମୁହିଁ ହୋଇ ତୁନି ରହି କେମିତି ଭାବର ଆଦାନ ପ୍ରଦାନ କରନ୍ତି । ସେ ଜାଣିବାକୁ ସୁଯୋଗ ପାଇବେ ନାହିଁ ଯେ କୌଣସି ପର୍ବଦିନ ସହରରେ ବୁଲିଯାଇ କାନ ଫଟେଇ ଦେଉଥିବା ମାଇକ୍‍ ଗୀତର ରଡ଼ି ଶୁଣିବା ପରିବର୍ତ୍ତେ (ଆମ ଗାଁ ହୋଇଥିଲେ ଗେଧମାନେ ଏ ଗଛରୁ ସେ ଗଛ ଡିଅଁନ୍ତେ ଓ ଗୋରୁ ହୁରୁଡ଼ନ୍ତେ) ନଈ ବନ୍ଧେ ବନ୍ଧେ ଆମ ଗାଁକୁ ଗଲେ ପାଖରୁ, ଦୂରରୁ, ନଈ ସେ ପାରିରୁ ନାନା ସ୍ଥାନରୁ ଶଙ୍ଖ ହୁଳହୁଳି ଶବ୍ଦ କେମିତି ଶୁଭେ, କୁଆଁର ପୂନେଇ ପାଖ ହେଲେ ରାତିରେ ଗାଁ ଗାଁକରୁ ଫୁଲବଉଳବେଣୀ ଗୀତ କେମିତି ଶୁଭେ ।

(‘ମାଟି ମଟାଳ’ ଉପନ୍ୟାସ ପାଇଁ ‘ଜ୍ଞାନପୀଠ’ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକ ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀ ‘ସ୍ରୋତସ୍ୱତୀ’ରୁ ଉଦ୍ଧୃତ ।)

Loading

Leave a Reply

Your email address will not be published. Required fields are marked *