ହେ ମହାବାହୁ
ଧନ୍ୟ ମହାପ୍ରଭୁ ଧନ୍ୟ ଲୀଳାଖେଳ
ଧନ୍ୟ ମହିମା ଅପାର
ମୂଢ ମାନବର ସୁଖ ଦୁଃଖ ବୋହି
କରୁଛ ସଂସାର ପାର।।୧।।
ତୁମ ଶୁଭାଶିଷ ଦରଶନ ପାଇଁ
ବ୍ୟାକୁଳିତ ହୁଏ ମନ
ନୀରବ ନିଶ୍ଚଳେ ସ୍ମରଣ ନ କଲେ
ନ ମିଳଇ ଦରଶନ ।।୨।।
ନିମିଷେ ମଧ୍ୟରେ ଜଗତ ରୂପକୁ
କରିଦିଅ ଛାରଖାର
ତୁମ ଆଦି ଅନ୍ତ ଅନାଦି ରୂପକୁ
ନ ମାପି ପାରଇ ଛାର।।୩।।
ଭକ୍ତ ସାଲବେଗ ଦାସିଆ ବାଉରୀ
ଜାଣିଥିଲେ ତୁମ୍ଭ ଭାବ
ଆମର କି ଦୋଷ ଜାଣି ନ ପାରିଲୁ
ଦିନ ବାନ୍ଧବ ସ୍ଵଭାବ ।।୪।।
ତୋ ମହାପ୍ରସାଦେ ପରକୁ ଆପଣା
ଭାବର ରଜ୍ଜୁରେ ବାନ୍ଧୁ
ନିର୍ଜୀବ ଶରୀରେ ସକଳ ଘଟରେ
ଥାଅ ତୁମ୍ଭେ କୃପା ସିନ୍ଧୁ।।୫।।
ଦେଇ ପାରୁ ଯଶ ଦରିଦ୍ରକୁ ସୁଖ
ରାଜ ରାଜେଶ୍ୱର ପଦ
କ୍ଷଣେ ନେଇ ପାରୁ ଏ ଭବ ସାଗରୁ
ମୁଖେ ନ ସ୍ପୁରଇ ଶବ୍ଦ ।।୬।।
କଳ୍ପତରୁ ଡାଳେ ବାନ୍ଧିଲେ ସୁତୁଳୀ
ମନ ବାଞ୍ଛା ହୁଏ ପୂର୍ଣ୍ଣ
ନୀଳାଚଳ ଧାମେ ନୀଳଚକ୍ର ଧାରୀ
ପାପକୁ କରଇ ଚୂର୍ଣ୍ଣ ।।୭।।
ପତିତ ପାବନ ଉଡେ ଶ୍ରୀମନ୍ଦିରେ
ନାହିଁ ତାର କେହି ସମ
ପାତକି, ପାମର ଦେଖି ତୁମ୍ଭ ଧ୍ଵଜ
ଭୁଲି ହୁଏ ସମାଗମ।।୮।।
ତୁମ୍ଭେ ଅନ୍ତର୍ଯ୍ୟାମୀ କରୁଣା ସାଗର
ଅଜ୍ଞାନତା ଦୂରକର
ଅସତ୍ୟ ଭୂଷଣ ଅଜ୍ଞାନତା ପୂର୍ଣ୍ଣ
କୁସଂସ୍କାର ହ୍ରାସ କର ।।୯।।
ମନ୍ଦ ବୁଦ୍ଧି ଜନେ ଶୁଭ ବୁଦ୍ଧି ଦିଅ
କର ତାଙ୍କୁ ପୁରସ୍କାର
ସୁଜ୍ଞାନୀ,ସାଧୁର ତୁମ୍ଭ ଶ୍ରୀପୟରେ
ନ କର ହେ ତିରସ୍କାର।।୧୦।।
ରାଜ ସୁଖ ମୋର ଲୋଡା ନାହିଁ ପ୍ରଭୁ
କରେ ସେସବୁ ଧିକ୍କାର
ପୂଜା,ବିଧି, ଧ୍ୟାନେ ମନ ମୋର ରହୁ
ହୃଦ କର ପରିଷ୍କାର।।୧୧।।
ତୁମ୍ଭ ଇସାରାରେ ଚାଲଇ ବ୍ରହ୍ମାଣ୍ଡ
ଆତଯାତ ତାରା,ସୂର୍ଯ୍ୟ
ଲୋଭ,ମୋହ,ମାୟା ଅସତ୍ୟ ସଂସାରୁ
ରଖ ଦେଇ ବଳ ବୀର୍ଯ୍ୟ ।।୧୨।।
ଜୟ ଜଗନ୍ନାଥ………….
@ଶ୍ରୀ.ଡମ୍ବରୁଧର ବେହେରା(ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ସମ୍ପର୍କ –୯୪୩୭୭୮୮୪୬୪
369 total views, 1 views today
I agree your term and condition
ଜଗନ୍ନାଥ ଙ୍କ ଠାରେ ଦୁଃଖ ଜଣାଇବା ସହ ନିଜ ଭୁଲ୍ ସମ୍ପର୍କରେ ଅବଗତ ପାଇଁ ଗଭୀର ଉତ୍କଣ୍ଠା ସୁନ୍ଦର ବର୍ଣ୍ଣନା ହୋଇଛି