ସେ କବି ଟିଏ
ସେ ଲୁହରେ ବତୁରି ଗଲେ,
ଅନ୍ତଃସତ୍ଵା ହୁଏ କାଗଜ ଖଣ୍ଡିଏ,
ପିତୃତ୍ୱ ପାଏ କଲମ ଟିଏ,
ଆଉ ପେଟ ଫଟେଇ ବାହାରି ଆସେ
ଉଆଁସୀ କନ୍ୟା,
ଆଉ ତମେ ତାକୁ କୁହ କବିତା ଟିଏ ।
ସେ ଜାଣେନା,
ମୁକ୍ତିଠୁ କେତେ ଦୂରେ ତା’ ଅସହାୟତା,
ସେ ସତରେ ଜାଣେନା,
ପ୍ରାପ୍ତି ଠୁ ଠିକ କେତେ ଦୂରେ ତା’ ବିବସତ।
ସେ ଜାଣେ,
ରାହାଶୂନ୍ୟ ରାତ୍ରି ସହ ତା’ ନିବିଡ଼ତା
ଶଯ୍ୟହୀନ ଶାସ୍ତି ସହ ତା’ ଅତ୍ମୀୟତା ।
ଆଉ ସଜ୍ଞାହୀନ ସତ ସହ ସେ କରେ ସମଝୋତା ।
ସେ ଶିବ ନୁହେଁ,
ହେଲେ ଭାବକୁ ଭିଡି ଆଣି ଶବ ପାଲଟି ଯାଏ,
ନିଜକୁ ନିଜେ କେମିତି କେଜାଣି
ପୁଣି ଜୀବନ୍ୟାସ ଦିଏ ।
ଲୁହ ଲହୁ କୁ ପୁଣି ଫେଣ୍ଟା ଫେଣ୍ଟି କରି
ପି’ ଦେଇ ସେ ମାତାଲ ହୁଏ ।
ମହାଭାରତ ର ବାକି ରହି ଯାଇଥିବା ଶେଷପର୍ବ ଟେ ପାଇଁ
ଅସଂଖ୍ୟ କ୍ଷତ କୁ ଅନାୟାସରେ ଲୁଚେଇ,
ସେ ପୁଣି ଅଭିମନ୍ୟୁ ଟେ ହୁଏ ।
ପ୍ରାପ୍ତି ଅପ୍ରାପ୍ତିର ଦୋ’ଛକିରେ
ଦୁନିଆ ତା’କୁ “କବି” ଟିଏ କହେ ।
ଡାକ୍ତର କାର୍ତ୍ତିକେଶ୍ୱର ଜେନା
ବର୍ଦ୍ଧମାନ ଜିଲ୍ଲାମୁଖ୍ୟ ହସ୍ପିଟାଲ
ବର୍ଦ୍ଧମାନ, ପଶ୍ଚିମ ବଙ୍ଗ