କାହିଁକି କରୁଛ ଭୟ
~~~~~~~~~~~~~
କାହିଁକି କରୁଛ ଭୟ,
ତୁମ ପାଇଁ ଅଛି ପରମ ପିତାଙ୍କ
ଦିବ୍ୟ ଶାଶ୍ୱତ ଆଶ୍ରୟ ।
କାହିଁକି କରୁଛ ଭୟ ?
ନିର୍ଜ୍ଜନ ରାତ୍ରିରେ ହସଇ ଚନ୍ଦ୍ରମା,
ତମସାରେ ଢାଳେ ବିମଳ ସୁଷମା ।
ସେହିପରି ତୁମେ ତମପୂର୍ଣ୍ଣ ପ୍ରାଣେ
ସୃଜ ଅଖଣ୍ଡ ପ୍ରତ୍ୟୟ ।
କାହିଁକି କରୁଛ ଭୟ ?
ସତ୍ୟ ପଥେ ତୁମେ ଚାଲ ଅବିରତ,
ପରମାତ୍ମା ଅଛନ୍ତି ତୁମ ସହିତ ।
ସୁଗୁଣ ଭଣ୍ଡାର ଲୁଚିଛି ତୋ ମଧ୍ୟେ
କର ତାହାକୁ ଆଦାୟ ।
କାହିଁକି କରୁଛ ଭୟ ?
ହୋଇଯାଅ ଈଶ୍ୱରଙ୍କ ଅନ୍ତରଙ୍ଗ,
ହୃଦୟେ ଖେଳିବ ଆନନ୍ଦ ତରଙ୍ଗ ।
ତୃଣ ଠାରୁ ଦ୍ରୁମ ଯାଏଁ ପରିବ୍ୟାପ୍ତ
ତୁମ ପିତା ଦୟାମୟ ।
କାହିଁକି କରୁଛ ଭୟ ?
ତୁମେ ବା କାହିଁକି କାହାକୁ ଡରିବ,
ତୁମେ ଯେ ଡରକୁ ଡରାଇ ପାରିବ ।
ପ୍ରଭୁ ଦେଇଛନ୍ତି ଏତେ ଶକ୍ତି ତୋତେ
କର ତାହାର ସୁବ୍ୟୟ ।
କାହିଁକି କରୁଛ ଭୟ ?
ତୁମେ ଚାହିଁଲେ ଏ ବିଶ୍ୱ ବଦଳିବ
ସବୁରି ହୃଦୟେ ହସ ଝଲସିବ ।
ତୁମ ପ୍ରତିଭାର ପରାକାଷ୍ଠା ବଳେ
କର ବିଶ୍ୱକୁ ବିସ୍ମୟ ।
କାହିଁକି କରୁଛ ଭୟ ?
ପ୍ରିୟଦର୍ଶିନୀ ମହାପାତ୍ର
ଭଞ୍ଜନଗର, ଗଞ୍ଜାମ